ଲଘୁଚାପ ବର୍ଷାରେ ବେହାଲ ନୀଳଗିରି

ସଜନାଗଡ,୨୭।୮(ଡି.ଏନ.ଏ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ବାଲେଶର ଜିଲା ନୀଳଗିରିରେ ଲଗାତର ବର୍ଷାରେ ସୋନନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁ ନଦୀ ପାର୍ଶ୍ୱ ଗାଁରେ ଲୋକମାନେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଲଗାଣ ବର୍ଷାରେ ୭ଟି ପଞ୍ଚାୟତ ତଥା ନରଣପୁର ପଞ୍ଚାୟତର ଚାସୁଣିକୋଇଲା, ତେନ୍ତୁଳିଆ ପଞ୍ଚାୟତର ବାଲିସାହି, ରାଧାକିଶୋରପୁର ପଞ୍ଚାୟତର ପୁନ୍ଦାଳ, କୁଲାହାଟ, ବରହମପୁର, ନରସିଂହପୁର ପଞ୍ଚାୟତର ଦୁର୍ଗାପୁର, ଅମ୍ବିକାପୁର, କାଂଶ ପଞ୍ଚାୟତର କରଞ୍ଜିଆ, କୁଲାପାଳ, ବେଗୁନିଆ ପଞ୍ଚାୟତର ଡୁମଗଣ୍ଡିରା, ଦୁବାଟି, ସଂସାପାଳ, ଅଯୋଧ୍ୟା ପଞ୍ଚାୟତର ବାଡିଆ, ଜୁଣକୋଇଲି, ପ୍ରତାପପୁର ଆଦି ଗ୍ରାମର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଅଯୋଧ୍ୟା ପଞ୍ଚାୟତର ବାଡିଆ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ନୀଳଗିରିର ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବୁଧବାର ଅପରାହ୍ନରେ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରହିଥିବାର ସୂଚନା ରହିଛି।

Share