ବେଜିଂରେ ପ୍ରବଳ ବର୍ଷା: ୨୦ ମୃତ, ୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ…

ବେଜିଂ,୨।୮ : ଚାଇନାର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା ଯୋଗୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ବନ୍ୟାଜଳ ଯୋଗୁ ମେଟ୍ରୋ ରେଳ ସେବା ବନ୍ଦ ରଖାଯାଇଛି। ଖରାପ ପାଗ ପାଇଁ ୪୦୦ରୁ ଅଧିକ ବିମାନ ଉଡ଼ାଣକୁ ବାତିଲ କରାଯାଇଛି।

ଲଗାଣ ବର୍ଷା ବେଜିଂ ଏବଂ ଏହାର ଆଖପାଖ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ବନ୍ୟା ଜଳରେ ଭାସି ୨୭ ଜଣ ନିଖୋଜ ଅଛନ୍ତି।

ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ବେଜିଂରେ ୨୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବେଜିଂ ପାଇଁ ଚଳିତ ବର୍ଷ ବୃଷ୍ଟିପାତର ସ୍ତର ଅସ୍ବାଭାବିକ ଥିବା ପାଣିପାଗ ବିଭାଗ କହିଛି। ୨୦୧୨ ପରଠାରୁ ସର୍ବାଧିକ ବର୍ଷା ଚଳିତ ବର୍ଷ ଜୁଲାଇରେ ରେକର୍ଡ କରାଯାଇଛି।

ସୋମବାର ରାତିରୁ ୧୦୦ ରୁ ଅଧିକ ରାସ୍ତାରେ ଟ୍ରାଫିକ ବନ୍ଦ ରହିଛି। ବନ୍ୟାରେ ଫସି ରହିଥିବା ୫୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ବେଜିଂ ମ୍ୟୁନିସିପାଲିଟି ବନ୍ୟା ନିୟନ୍ତ୍ରଣ କାର୍ଯ୍ୟାଳୟର ଡେପୁଟି କମାଣ୍ଡର ଲିୟୁ ବିନ କହିଛନ୍ତି।

Share