ଲଘୁଚାପ ବର୍ଷାରେ ଚାଷଜମି ଜଳାର୍ଣ୍ଣବ

ଭେଡ଼େନ,୩୦।୭(ସୁଦନ ମହାକୁର): ଉତ୍ତର ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଏହି କ୍ରମରେ ବରଗଡ଼ ଜିଲା ଭେଡ଼େନ ଅଞ୍ଚଳରେ ଶନିବାର ରାତିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ୧୫୦ରୁ ୨୦୦ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଫଳରେ ନଈନାଳରେ ଜଳସ୍ତର ବଢିଛି। ଚାଷଜମିରେ ପାଣି ମାଡ଼ିଯାଇ ଜଳାର୍ଣ୍ଣବ ହୋଇଛି।

ଭେଡ଼େନ ବ୍ଲକ ଦେଇ ପ୍ରବାହିତ ଅନେକ ଛୋଟ ବଡ଼ ନଈନାଳଗୁଡ଼ିକର ଉଛୁଳା ପାଣି ମାଡ଼ିଯିବାରୁ ଶତାଧିକ ଚାଷଜମି ବାଲିଚର ହୋଇଛି । ବିଶେଷ କରି ଗଣ୍ଡତୁରୁମ ଗ୍ରାମର ଫଟାମୁଡ଼ା ନାଳ, ଯାମଜୁରୀ ନାଳ, ମହୁଲପାଲି ପଏନ୍‌କା ନାଳ, ପଧାନପାଲି ଇନ୍ଦ୍ରଘୋଷ ନାଳ, ରୁଷୁଡ଼ା ପାନବରଜ ନାଳ ସମେତ ଝାଉଁଜୋର, ଜିରା ନଦୀ, ଦନ୍ତା ନଦୀର ତଟରେ ଥିବା ଚାଷଜମିରେ ଏପରି ଅବସ୍ଥା ହୋଇଥିବା ଦେଖିବାକୁ ମିଳିଛି। ପ୍ରଖର ଜଳସ୍ରୋତରେ ଚାଷୀଙ୍କ ରୁଆ, ବିହୁଡ଼ା ଜମିର ଧାନଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅନେକ ଚାଷୀଙ୍କ ଜମି ବାଲିଚର ହୋଇ ଚାଷ ଅନୁପଯୋଗୀ ହୋଇଛି। ଏ ସର୍ମ୍ପକରେ ଭେଡ଼େନ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ନିକଟରେ କ୍ଷତିଗ୍ରସ୍ତ ଚାଷୀ ଆବେଦନ କରନ୍ତୁ। ରାଜସ୍ବ ବିଭାଗ ତରଫରୁ ଏହାର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପାଇଁ ସରକାରଙ୍କ ନିକଟରେ ଜଣାଇବୁ ବୋଲି ସେ କହିଛନ୍ତି।

Share