ଖାଇବର ପସ୍ତୁନଖ୍ବା-ପଞ୍ଜାବରେ ପ୍ରବଳ ବର୍ଷା, ୨୮ ମୃତ, ୧୪୦ରୁ ଅଧିକ ଆହତ…

ଇସଲାମାବାଦ,୧୧।୬ : ପାକିସ୍ତାନର ଖାଇବର ପସ୍ତୁନଖ୍ବା ଏବଂ ପଞ୍ଜାବ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ୨୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦ ରୁ ଅଧିକ ଆହତ ହୋଇଛନ୍ତି। ବର୍ଷା ଯୋଗୁ ଅନେକ ଘର ନଷ୍ଟ ହୋଇଯାଇଛି। ବହୁ ଗଛ ଉପୁଡ଼ି ଯାଇଥିବାବେଳେ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭାଙ୍ଗି ଯାଇଛି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକାରୀ କହିଛନ୍ତି ପ୍ରବଳ ବର୍ଷା ଓ କୁଆପଥର ମାଡ ଯୋଗୁଁ ଖାଇବର ପସ୍ତୁନଖ୍ବର ବାନୁ, ଲକ୍କି ମାରୱାଟ, ଡେରା ଇସମାଇଲ ଖାନ ଏବଂ କରକ ଜିଲାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ପଞ୍ଜାବର ଖୁସାବ ଜିଲାର ଏକ ଗାଁରେ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ତିନି ଝିଅଙ୍କର ମୃତ୍ୟୁ ଘଟିଛି। ରିଲିଫ ଅଧିକାରୀ ଖତିର ଅହମ୍ମଦ କହିଛନ୍ତି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share