Advertisement

କୋରାପୁଟରେ ପ୍ରବଳ ବର୍ଷା: ୨୬ ନଂ ଜାତୀୟ ରାଜପଥରେ ୨ ଫୁଟର ପାଣି

କୋରାପୁଟ,୧୧ା୯(ସ୍ବ.ପ୍ର.): ଲଘୁଚାପ ଯୋଗୁ କୋରାପୁଟରେ ରବିବାର ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳୁ ବର୍ଷା ଜାରି ରହିଥିବାବେଳେ ସହରର ବିଭିନ୍ନ ସ୍ଥାନରେ ଜଳପୂର୍ଣ୍ଣ ହୋଇଥିବା ଦେଖାଯାଇଛି। ବିଶେଷକରି ଏହି ବର୍ଷା ଯୋଗୁ ସ୍ଥାନୀୟ ଖଣି ଉପନିର୍ଦେଶକ କାର୍ଯ୍ୟାଳୟ ସମ୍ମୁଖ ରେଲଓ୍ବେ ଓଭର ବ୍ରିଜ୍‌ଠାରେ ୨୬ନମ୍ବର ଜାତୀୟ ରାଜପଥ ଉପରେ ୨ ଫୁଟର ବର୍ଷାଜଳ ପ୍ରବାହିତ ହେଉଥିବା ଦେଖାଯାଇଥିଲା। ବିଶେଷକରି ବାଇକ୍‌ ଚାଳକମାନଙ୍କୁ ଅସୁବିଧାରେ ପକାଇଛି। ଏଥିଯୋଗୁ ପ୍ରାୟ ଅଧଘଣ୍ଟା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସେହିପରି ଜିଲାରେ ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ମୋଟ୍‌ ୮୦୪.୬ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ସେଥିମଧ୍ୟରୁ ଜିଲାର କୁନ୍ଦ୍ରାରେ ସର୍ବାଧିକ ୧୦୮.୬ ମିମି ବର୍ଷା ହୋଇଥିବାବେଳେ କୋଟପାଡ଼ରେ ୧୦୬ ମିମି, ବୈପାରୀଗୁଡ଼ାରେ ୭୮ମିମି, ପଟ୍ଟାଙ୍ଗିରେ ୭୩ ମିମି, ନାରାୟଣପାଟଣାରେ ୭୨ ମିମି, ଲମତାପୁଟରେ ୬୭.୪ ମିମି, କୋରାପୁଟରେ ୪୨.୪ ମିମି, ବନ୍ଧୁଗାଁରେ ୧୪ ମିମି, ନନ୍ଦପୁରରେ ୪୬ ମିମି, ଦଶମନ୍ତପୁରରେ ୧୭ ମିମି, ଲକ୍ଷ୍ମୀପୁରରେ ୩୫ମିମି, ସେମିଳିଗୁଡ଼ାରେ ୪୨ମିମି, ଜୟପୁରରେ ୫୭.୬ ମିମି ଏବଂ ବୋରିଗୁମ୍ମାରେ ୪୫.୨ ମିମି ବର୍ଷା ହୋଇଥିବା ଜଣାଯାଇଛି। ଏହି ଲଗାଣ ବର୍ଷା ଯୋଗୁ ଜିଲାର ତେଲେଙ୍ଗିରି ଜଳଭଣ୍ଡାରରେ ୬୩୧ମିଟର ଜଳସ୍ତର ରହିଥିବାବେଳେ ଅପରକୋଲାବ ଜଳଭଣ୍ଡାରର ଜଳସ୍ତର ୮୫୩.୨୮ ମିଟରକୁ ବୃଦ୍ଧି ପାଇଥିବା ଜଣାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share