ପ୍ରବଳ ବର୍ଷା: ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି

ମାଲକାନଗିରି,୯ା୯(ଦୁର୍ଯ୍ୟୋଧନ ପାତ୍ର): ଦୁଇଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ପ୍ରାୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି। ବିଶେଷକରି ମାଲକାନଗିରି ଜିଲାର ବିଭିନ୍ନ ନଦୀର ଜଳସ୍ରୋତ ବୃଦ୍ଧି ପାଇବାରୁ ନଦୀ ଉପରେ ପ୍ରାୟ ୩ ଫୁଟରୁ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେବା ଯୋଗୁ ନଦୀର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛିା ମାଥିଲି ବ୍ଲକ ପାଙ୍ଗାମ ନଦୀ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବା ବେଳେ କାଲିମେଳା ବ୍ଲକ କାଙ୍ଗୁରୁକୋଣ୍ଡା ନଦୀ ଉପରେ ମଧ୍ୟ ପ୍ରାୟ ୪ ଫୁଟର ବର୍ଷାଜଳ ପ୍ରବାହିତ ହେଉଅଛି। ବିଶେଷକରି ପୋଟେରୁ ନଦୀ ପୋଲ ଉପରେ ମଧ୍ୟ ୫ ଫୁଟରୁ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହୋଇ ଗାଁ ଭିତରେ ପଶିଛି। ଯାହାଫଳରେ ପୋଟେରୁ ଗ୍ରାମବାସୀ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ସେହିପରି ଚିତ୍ରକୋଣ୍ଡା ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି। ମାଲକାନଗିରିରୁ ଚିତ୍ରକୋଣ୍ଡା ଯିବା ରାସ୍ତା ଚିତ୍ରକୋଣ୍ଡା ଘାଟି ଉପରେ ଭଲବ୍‌ ହାଉସ ନିକଟରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଥିବାରୁ ଯାତାୟତ ଠପ୍‌ ହୋଇ ଯାଇଛିା

ସେହିପରି ଆନ୍ଧ୍ର ଓଡ଼ିଶା ସୀମାନ୍ତ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପିଲିଗଡା କଲଭର୍ଟର ଗୋଟିଏ ପାର୍ଶ୍ୱ ବର୍ଷାଜଳରେ ଧୋଇ ହୋଇ ଯିବାରୁ ଆନ୍ଧ୍ର ଓଡ଼ିଶାକୁ ମଧ୍ୟ ଯୋଗାଯୋଗ ବନ୍ଦ ହୋଇଯାଇଛି। ଜିଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଥିବା, କେତେକ ଲୋକଙ୍କ ଘର କାନ୍ଥ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ମାଲକାନଗିରି ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ ଟିମ୍‌ ମଧ୍ୟ ସମସ୍ତ ଅଞ୍ଚଳରେ ସଜାଗ ହୋଇ ରହିବା ସହ ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ବିଶେଷ ଦୃଷ୍ଟି ଦେଉଥିବା ଦେଖିବାକୁ ମିଳିଛି।

ଜିଲା ପ୍ରଶାସନର ପାଣିପାଗ ବିଭାଗ ଦେଇଥିବା ସୂଚନାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ସୋମବାର ସକାଳ ୮ଟା ସୁଦ୍ଧା ମାଲକାନଗିରି ବ୍ଲକରେ ୨୫୩.୦ମିଲିମିଟର ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ୧୫୦.୦ ଖଇରପୁଟ ବ୍ଲକରେ ୨୧୭.୦ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୨୨୫.୦ ମିଲିମିଟର, କୋରୁକୋଣ୍ଡା ବ୍ଲକରେ ୨୦୦ ମିଲିମିଟର, କାଲିମେଳା ବ୍ଲକରେ ୧୨୭.୦ ମିଲିମିଟର, ପଡ଼ିଆ ବ୍ଲକରେ ୯୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ଜିଲାରେ ସର୍ବମୋଟ୍‌ ୧୨୭୦.୦ ମିଲିମିଟର ବର୍ଷା ହୋଇଥିବା ବେଳେ ହାରାହାରି ୧୮୧.୪୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share