ଦୁଇଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆସନ୍ତା ଦୁଇଦିନ ମଧ୍ୟ ପ୍ରବଳ ବର୍ଷା ହେବ। ଗୁରୁବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ ଓ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ହେବ। ଏସବୁ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ଗୁରୁବାର ୧୪ ଜିଲାକୁ ଝଡ଼ତୋଫାନ ଓ ବଜ୍ରପାତ ନେଇ ମଧ୍ୟ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି। ଜିଲାଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ଓ ମୟୂରଭଞ୍ଜ। ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ସ୍ଥାନ ଏବଂ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। କିନ୍ତୁ କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବ। ପ୍ରବଳ ବର୍ଷା ନେଇ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ଶୁକ୍ରବାର ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୋନପୁର, ବୌଦ୍ଧ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏସବୁ ଜିଲାକୁ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share