୧୫ରେ ଲଘୁଚାପ: ଉପକୂଳ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦ା୧୧(ଅନିଲ ଦାସ): ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ୧୫ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଏହା ଡିପ୍‌ ଡିପ୍ରେସନ(ଅବପାତ)ରେ ପରିଣତ ହୋଇ ଉତ୍ତର ଦିଗକୁ ଗତିକରି ଓଡ଼ିଶା ଉପକୂଳମୁହାଁ ହେବ। ତେବେ ଅବପାତ ବାତ୍ୟାର ରୂପ ନେବା ସମ୍ଭାବନାକୁ ମଧ୍ୟ ଏଡ଼ାଯାଇ ନ ପାରେ। ବାତ୍ୟା ହେବ କି ନାହିଁ ତାହା ଆସନ୍ତା ୩/୪ ଦିନ ମଧ୍ୟରେ ସ୍ପଷ୍ଟ ହେବ। ଲଘୁଚାପ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ବେଳେ କୋହଲିଆ ପବନ ସହ ବର୍ଷା ହେବ। ଏହାର ପ୍ରଭାବରେ ଆସନ୍ତା ୧୫ରୁ ୨୦ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳ ଓ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲା ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ ଆଦି ଜିଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ୬୦ରୁ ୭୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି।

Share