ଅତିପ୍ରବଳ ବର୍ଷା: ହୋଇପାରେ ଭୂସ୍ଖଳନ, କାଲି ସକାଳଯାଏ….

ଭୁବନେଶ୍ବର,୧୬।୯:  ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଏହି ବର୍ଷା ଆହୁରି ଦୁଇ ଦିନ ଜାରି ରହିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମଙ୍ଗଳବାର ସକାଳ ଯାଏଁ ୨ ଜିଲାକୁ ଅରେଞ୍ଜ ଓ ୬ ଜିଲାକୁ ୟେଲୋ ୱାର୍ନିଂ ଦେଇଛି ପାଣିପାଗ ବିଭାଗ। ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ କରାଯାଇଛି।ବର୍ଷାରେ କିଛି ସ୍ଥାନରେ ସାମୟିକ ପାଣି ଜମିବା ସହ ଭୂସ୍ଖଳନ ହୋଇପାରେ। ଏହା ସହ କଚା ଘର ଭାଙ୍ଗିବା ସହ ରାସ୍ତାରେ ଯାତାୟାତ ସମସ୍ୟା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼କୁ ୟେଲୋ ୱାର୍ନିଂ ରହିଥିବା ବେଳେ ଝାରସୁଗୁଡ଼ା ଓ ଅନୁଗୁଳକୁ ମଧ୍ୟ ପ୍ରବଳ ବର୍ଷା ନେଇ ମଧ୍ୟ ୟେଲୋ ୱାର୍ନିଂ ଜାରି କରାଯାଇଛି।

ସେପଟେ ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ୬୮୫ମି.ମି. ବର୍ଷା ହୋଇଥିବା ବେଳେ ବାଲିଆପାଳ ବ୍ଲକରେ ସର୍ବାଧିକ ଓ ସିମୁଳିଆରେ ସର୍ବନିମ୍ନ ରେକର୍ଡ଼ ହୋଇଛି। ସେହିପରି ଜିଲାରେ ପ୍ରବାହିତ ଜଳକା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଥିବା ବେଳେ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳକା ନଦୀ ଅବବାହିକା ସମେତ ନଦୀର ଉପରମୁଣ୍ଡ ପଡ଼ୋଶୀ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁରରେ ଶନିବାର ୮୨ମି.ମି., ମୋରଡ଼ାରେ ୩୦.୨ମି.ମି., ଶୁଳିଆପଦାରେ ୭୦ମି.ମି. ବର୍ଷା କାରଣରୁ ନଦୀର ଜଳସ୍ତର ବୃଦ୍ଧି ପାଉଛି। ମଥାନୀଠାରେ ନଦୀର ବିପଦସଙ୍କେତ ୬.୫୦ ମିଟର ରହିଥିବା ବେଳେ ରବିବାର ରାତି ୮ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୫୧ ମିଟରରେ ପ୍ରବାହିତ ହେଉଛି। ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଉପକୂଳବର୍ତ୍ତୀ ଗ୍ରାମବାସୀ ବନ୍ୟା ଆଶଙ୍କାରେ ଭୟଭୀତ ଅବସ୍ଥାରେ ଅଛନ୍ତି। ଯଦି ବନ୍ୟା ହୁଏ ତେବେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ ପଞ୍ଚାୟତର ଶତାଧିକ ହେକ୍ଟର ଚାଷଜମି ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଦୁର୍ବଳ ନଦୀବନ୍ଧ ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ତହସିଲଦାର ରାଧାରଞ୍ଜନ ଦାସ ଓ ଜଳସେଚନ କନିଷ୍ଠଯନ୍ତ୍ରୀ ମହେଶ୍ୱର ସିଂ ସୂଚନା ଦେଇଛନ୍ତି।

Share