ଭୁବନେଶ୍ୱର,୨।୪: ପାଣିପାଗକୁ ନେଇ ବଡ଼ ଅପଡେଟ । ଆସୁଛି ବଡ଼ ବର୍ଷା । କେବଳ ସେତିକି ନୁହେଁ ୫ ଦିନ ଯାଏ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜିଠୁ ପାଗରେ ପରିବର୍ତ୍ତନ ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ଏପ୍ରିଲ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ବିଜୁଳି ଘଡଘଡି ନେଇ ମଧ୍ୟ ସତର୍କ କରାଇଛି ପାଣିପାଗ ବିଭାଗ ।
ଆସନ୍ତା ଏପ୍ରିଲ ୩ ତାରିଖରେ କାଳବେଶାଖୀ ବର୍ଷାକୁ ନେଇ ୯ଟି ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୫ଟି ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କୁଆପଥର ବର୍ଷା ହେବା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୯ ଜିଲା ହେଉଛି: ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ କୋରାପୁଟ । ସେହିଭଳି ୟେଲୋ ଆଲର୍ଟ ଜାରି କରାଯାଇଥିବା ୫ ଜିଲା ହେଉଛି ବରଗଡ, ସୋନପୁର, ବଲାଙ୍ଗିର, ନୂଆପଡା ଓ ମାଲକାନାଗିରି ।
ସେହିଭଳି ଏପ୍ରିଲ ୪ରୁ ୫ ତାରିଖ ଯାଏ ଉପକୂଳବର୍ତ୍ତୀ ଜିଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଓ ପବନ ସହ କୁଆପଥର ବର୍ଷା ହେବା ନେଇ ୮ଟି ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୨ ଜିଲ୍ଲାକୁ ୟେଲୋ ଜୋନରେ ରଖାଯାଇଛି । ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୮ ଜିଲା ହେଉଛି: ମାଲକାନାଗିରି, କୋରାପୁଟ, ରାୟଗଡ, ଅନୁଗୁଳ, କେଉଁଝର, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ବର । ସେହିଭଳି ୟେଲୋ ଜୋନରେ ଥିବା ୧୨ ଜିଲ୍ଲା ହେଉଛି: ଗଞ୍ଜାମ, ଗଜପତି, କନ୍ଧମାଳ, ବେଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡା ଓ ଜଗତସିଂପୁର ।