Categories: ଜାତୀୟ

ଏସବୁ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ପୂର୍ବାନୁମାନ: ରେଡ୍‌ ଆଲର୍ଟ ଜାରି

ନୂଆଦିଲ୍ଲୀ, ୨୨।୮: ଦେଶର ଅଧାରୁ ଅଧିକ ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ପୂର୍ବରୁ ଆରମ୍ଭ କରି ପଶ୍ଚିମ ଏବଂ ଉତ୍ତରଭାରତରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗର ଦକ୍ଷିଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି। ଏନେଇ ରେଡ୍‌ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଶନିବାର ଏବଂ ରବିବାର ଏସବୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ମଧ୍ୟପ୍ରଦେଶର ହୋଶଙ୍ଗାବାଦ୍‌, ଜବଲପୁର, ବେତୁଲ, ନରସିଂହପୁର, ସିବନି ଏବଂ ହରଦା ଜିଲାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ସେହିପରି ରାଜ୍ୟର ୧୨ ଜିଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ମହାରାଷ୍ଟ୍ରର ମୁମ୍ବାଇ, ଠାଣେ,ପାଲଘର, ରାୟଗଡ଼, ରତ୍ନଗିରି, ସିନ୍ଧୁଦୁର୍ଗ ଆଦି ଜିଲାରେ ମଧ୍ୟ ଅରେଞ୍ଜ୍‌ ଆଲର୍ଟ ଜାରି ହୋଇଛି। ଓଡ଼ିଶାର ଉପକୂବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମୁଦ୍ରକୁ ମାଛ ଧରିବା ପାଇଁ ନ ଯିବାକୁ ଧୀବରଙ୍କ ଲାଗି ସତର୍କ ସୂଚନା ଜାରି ହୋଇଛି।

Share