ଏସବୁ ଜିଲାକୁ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୮ା୬: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସକ୍ରିୟ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଗୁରୁବାର ନବରଙ୍ଗପୁରରେ ସର୍ବାଧିକ ୮୨.୦ ମି.ମି. ବର୍ଷା ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୬୯.୮ ମି.ମି., କୋରାପୁଟରେ ୬୫.୪ ମି.ମି., ମାଲକାନଗିରି ଓ ସୋନପୁରରେ ୨୪.୪ ମି.ମି, ଏବଂ ଭୁବନେଶ୍ୱରରେ ୨୧.୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ। ଦକ୍ଷିଣ ଓ ଉତ୍ତର ଓଡ଼ିଶା ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ତେବେ ଶୁକ୍ରବାର ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଓ କନ୍ଧମାଳକୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଉକ୍ତ ଜିଲାଗୁଡ଼ିକୁ ସତର୍କ କରାଯାଇଛି। ସେହିପରି ଗଜପତି, କୋରାପୁଟ, ରାୟଗଡା, କଳାହାଣ୍ଡି, ମାଲକାନଗିରି, ଅନୁଗୋଳ, ଢେଙ୍କାନାଳ, ନୟାଗଡ, କଟକ, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ସଂପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟକିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ। ୨୯ ଓ ୩୦ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ରହିଛି।