ବେଙ୍ଗାଲୁରୁ,୬ା୯: କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ରବିବାର ସନ୍ଧ୍ୟାରୁ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭାରତର ପାଣିପାଗ ବିଭାଗ (ଆଇଏମ୍ଡି) ସୂଚନା ଅନୁସାରେ ୧୩୧.୬ ମି.ମି. ବର୍ଷା ହୋଇଛି, ଯାହା କି ଗତ ୮ ବର୍ଷର ରେକର୍ଡ ଭାଙ୍ଗିଛି। ୨୦୧୪ରେ ବେଙ୍ଗାଲୁରୁରେ ୧୩୨.୩ ମି.ମି. ବର୍ଷା ହୋଇଥିଲା। ମଙ୍ଗଳବାର ମଧ୍ୟ ବର୍ଷା ଲାଗି ରହିବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି। ହ୍ବାଇଟ୍ଫିଲ୍ଡ, ଇନ୍ଦିରାନଗର, କେଙ୍ଗେରି, ଆର୍ ଆର୍ ନଗର, ବୋମାନାହାଲ୍ଲି, ମରାଠାଲ୍ଲି, ମହାଦେବପୁରା ଆଦି ସହର ଅଧିକ ପ୍ରଭାବିତ ହୋଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପାଣିରେ ବୁଡ଼ି ଯାଇଥିବାବେଳେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି। ପମ୍ପିଂ ଷ୍ଟେଶନଗୁଡ଼ିକ ପାଣିରେ ବୁଡ଼ି ଯାଇଥିବାରୁ ସହରରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି।