ଚାନ୍ଦବାଲିରେ ପ୍ରବଳ ବର୍ଷା, ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ଭଦ୍ରକ,୨୪।୧୦(ସନାତନ ରାଉତ): ଭୀଷଣ ବାତ୍ୟାର ରୂପ ନେଲା ଦାନା। ପାଣିପାଗ ବିଭାଗ ସୂଚନା ମୁତାବକ, ବାତ୍ୟା ଦାନା ଗୁରୁବାର ରାତିରେ ଧାମରା ନିକଟରେ ସ୍ଥଳଭାଗ ଛୁଇଁବ l ଧାମରା ଠାରୁ ୨୯୦ କିମି ଦୂରରେ ରହିଛି ବାତ୍ୟା l ବାତ୍ୟାର ବାହ୍ୟ ପରିଧି ଧାମରା ଉପକୂଳ ଛୁଇଁ ସାରିଥିବାରୁ ବୁଧବାର ଅପରାହ୍ନରୁ ବର୍ଷା ପବନ ଆରମ୍ଭ ହୋଇଛି l ଗୁରବାର ସକାଳୁ ମଧ୍ୟ ଝିପିଝିପି ବର୍ଷା ସାଙ୍ଗକୁ ପବନ ଚାଲିଛି l

ପ୍ରଶାସନ ପକ୍ଷରୁ ଜିଲାର ୧୦୫ ବାତ୍ୟା ଆଶ୍ରୟ ସ୍ଥଳୀ ସହ ୫ ଶହରୁ ଉର୍ଦ୍ଧ୍ୱ ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖାଯାଇଛି l ଆଶ୍ରୟସ୍ଥଳରେ ଚୁଡା ଗୁଡ଼, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଓ ପାନୀୟ ଜଳ, ଔଷଧ ମହଜୁଦ ରଖାଯାଇଛି l ଗୁରୁବାର ଠାରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜିଲାପାଳ ଦିଲ୍ଲୀପ ରାଉତରାଏ ସୂଚନା ଦେଇଛନ୍ତି l ସମୁଦ୍ର ଓ ନଦୀ କୂଳ ଅଞ୍ଚଳବାସୀ ଘର ଛାଡି ଆଶ୍ରୟସ୍ଥଳକୁ ପଲାଇ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ ସହ ଉଦ୍ୟମ ଜାରି ରହିଛି l ବୁଧବାର ରାତିରୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଥିବା ବେଳେ ଗୁରୁବାର ସକାଳୁ ଲୋକଙ୍କୁ ବୁଝାସୁଝା କରି ସ୍ଥାନାନ୍ତର କରାଯାଉଛି l ଚାନ୍ଦବାଲିରେ ସକାଳୁ ୩୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି l ବେଳାଭୂମିକୁ ନଯିବାକୁ ସତର୍କ କରାଯାଇଛି l ସାମୁଦ୍ରିକ ଜୁଆର ଆସିବ ବୋଲି ସତର୍କ କରାଯାଇଛି l ନିଜେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରାତିରେ ଧମରରେ ରହି ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି l ଜିଲାପାଳ ଆଶ୍ରୟ ସ୍ଥଳ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି l ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇ ପୁରା ପ୍ରଶାସନ କରୁଛି ବୋଲି ଜିଲାପାଳ କହିଛନ୍ତି l

Share