ଚାଇନାରେ ପ୍ରବଳ ବର୍ଷା, ୧୫ ମୃତ, ୩ ନିଖୋଜ…

ବେଜିଂ, ୨୮।୫ : ଦକ୍ଷିଣ ଚାଇନା ପ୍ରବଳ ବର୍ଷା ଯୋଗୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ଅଛନ୍ତି। ଚାଇନାର ସରକାରୀ ନ୍ୟୁଜ୍‌ ଏଜେନ୍ସି ଜିନହୁଆ ପକ୍ଷରୁ କୁହାଯାଇଛି ଯେ ୱୁପିଙ୍ଗ ଜିଲାର ସୂଚନା କାର୍ଯ୍ୟାଳୟର ସୂତ୍ର ଅନୁସାରେ ଫୁଜିଆନ ପ୍ରଦେଶରେ ଭୂସ୍ଖଳନ ହେତୁ ଦୁଇଟି ଅଟ୍ଟାଳିକା ଭାଙ୍ଗି ଯାଇଛି ଏବଂ ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି।

ଜାତୀୟ ବ୍ରଡକାଷ୍ଟର ସିସିଟିଭି ଏହାର ରିପୋର୍ଟରେ କହିଛି ଯେ ୟୁନାନ ପ୍ରଦେଶରେ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ତିନିଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଗୁଆଙ୍ଗସି ଅଞ୍ଚଳର ଜିଞ୍ଚେଙ୍ଗ ଜିଲାରେ ଶୁକ୍ରବାର ତିନିଜଣ ପିଲାଙ୍କୁ ବନ୍ୟା ଜଳ ଭସାଇ ନେଇ ଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି।

ବନ୍ୟା ଜଳ ଯୋଗୁ ୟୁନାନ ପ୍ରଦେଶର କୁବେଇ କାଉଣ୍ଟିରେ ରାସ୍ତା, ବ୍ରିଜ, ଟେଲି ଯୋଗାଯୋଗ ଏବଂ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ନଷ୍ଟ ହୋଇଯାଇଛି। ଭିଏତନାମ ସୀମାଠାରୁ ଏହି ସ୍ଥାନ ୧୩୦ କିଲୋମିଟର ଦୂରରେ ଅବସ୍ଥିତ। ବହୁ ଅଞ୍ଚଳରେ ବନ୍ୟା ଜଳ ରହିଥିବାରୁ ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଦ୍ୱାରା ସହାୟତା ଯୋଗାଇ ଦିଆଯାଉଛି ।

ଜିନହୁଆ ଏହାର ରିପୋର୍ଟରେ କହିଛି ଯେ ଫୁଜିଆନ ସ୍ଥିତ ଏକ କାରଖାନାର ଅଳିଆ ଗଦାରୁ ପାଞ୍ଚଟି ଏବଂ ଆବାସିକ କୋଠାର ଅଳିଆ ଗଦାରୁ ତିନିଟି ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ସନ୍ଧ୍ୟା ଠାରୁ ୱୁପିଙ୍ଗ କାଉଣ୍ଟିରେ ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ଫଳରେ ବହୁ ସହର ଜଳବନ୍ଦୀ ଅବସ୍ଥାରେ ରହିଛି।

Share