Categories: ଜାତୀୟ

ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ

ଧର୍ମଶାଳା(ହିମାଚଳ ପ୍ରଦେଶ), ୧୩ା୭: ଦକ୍ଷିଣ-ପଶ୍ଚିମ ମୌସୁମୀଜନିତ ବର୍ଷା ହିମାଚଳପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି। ରାଜ୍ୟର ଅନେକ ସ୍ଥାନରେ ରବିବାର ରାତିରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। କାଙ୍ଗ୍ରା ଜିଲାରେ ଭୂସ୍ଖଳନ ଯୋଗୁ ବହୁ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଜିଲାର ଅନେକ ଘର, ଗାଡ଼ି କାଗଜ ଭଳି ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏଥିଯୋଗୁ ଧର୍ମଶାଳା ବିମାନବନ୍ଦରକୁ ବନ୍ଦ କରାଯିବା ସହ ପର୍ଯ୍ୟଟକ ସେଠାକୁ ନ ଯିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଧର୍ମଶାଳାର ଭାଗ୍‌ସୁନାଗରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମାଞ୍ଝି ନଦୀରେ ଜଳସ୍ତର ବୃଦ୍ଧି ହୋଇଛି। ମୌସୁମୀ ଆସିବା ପରେ କୁଲୁ ଜିଲାରେ ପ୍ରଥମ ଥର ପାଇଁ ମୂଷଳଧାରାରେ ବର୍ଷା ହୋଇଛି। ଏଥିଯୋଗୁ ୧୫ରୁ ଊର୍ଦ୍ଧ୍ୱ ରାସ୍ତାରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ହୋଇଯାଇଛି।
ବନ୍ୟାବେଳର ବହୁ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରାଯାଇଛି, ଯେଉଁଥିରେ ଅନେକ କାର୍‌, ବାଇକ୍‌ ସହ କେତେକ ଘର ପାଣିରେ ଭାସିଯାଉଥିବା ଦେଖିବାକୁ ମିଳିଛି। ବହୁ ସ୍କୁଲ ଘର, ହୋଟେଲ ଆଦି କ୍ଷତିଗ୍ରସ୍ତ ହୋଇଛି। ଧର୍ମଶାଳାର ୧୦ରୁ ଊର୍ଦ୍ଧ୍ୱ ଦୋକାନ ଘର ଭାଙ୍ଗିରୁଜି ଯାଇଛି। ମଣ୍ଡି-ପଠାନ୍‌କୋଟ ରାଜପଥକୁ ଯୋଡ଼ୁଥିବା ଏକ ବ୍ରିଜ୍‌ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାରେ ଯାତାୟାତ ବନ୍ଦ ରହିଛି। ଶିମ୍‌ଲାର ରାମପୁର ଅଞ୍ଚଳରେ ଝାକରି ଜାତୀୟ ରାଜପଥରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି। ହିମାଚଳ ପ୍ରଦେଶରେ ୧୩ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ନଦୀ ପାଖ ବା ଭୂସ୍ଖଳନପ୍ରବଣ ଅଞ୍ଚଳକୁ ନ ଯିବାକୁ ସତର୍କ କରାଯାଇଛି।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ସୋମବାର କଥା ହୋଇଛନ୍ତି। ଘଟଣା ଉପରେ ନଜର ରଖି ସବୁପ୍ରକାର ପଦକ୍ଷେପ ନେବାକୁ ଶାହା ପରାମର୍ଶ ଦେବା ସହ କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଉଦ୍ଧାର କାର୍ଯ୍ୟ ତ୍ୱରିତ କରି ଲୋକଙ୍କୁ ରିଲିଫ୍‌ ବଣ୍ଟନ କରିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ ସମେତ ଜମ୍ମୁ-କଶ୍ମୀରରେ ମଧ୍ୟ ମୂଷଳଧାରାରେ ବର୍ଷା ହୋଇଛି। ଭୂସ୍ଖଳନ ଯୋଗୁ ଚାମୋଲି ନିକଟ ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି। ଉତ୍ତରାଖଣ୍ଡର ଏକ ଗ୍ରାମରେ ଘର କାନ୍ଥ ପଡ଼ି ଜଣେ ୮ ବର୍ଷର ବାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି।

Share