ଅବପାତ ରୂପ ନେଲା ଲଘୁଚାପ

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ବୁଧବାର ଲଘୁଚାପ ସୃଷ୍ଟି ହୋଇଛି। ଏହା ଆହୁରି ଘନୀଭୂତ ହୋଇ ଡିପ୍ରେଶନ(ଅବପାତ)ରେ ପରିଣତ ହୋଇଛି। ଏଥିସହିତ ଓଡ଼ିଶା ଉପକୂଳ ବଙ୍ଗୋପସାଗର ଉପରେ ଦକ୍ଷିଣ ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଧିକ ସକ୍ରିୟ ହୋଇଛି। ଏସବୁ ମିଶି ରାଜ୍ୟରେ ପ୍ରବଳ ବର୍ଷା କରାଇବ। ଏହାର ପ୍ରଭାବରେ ଆସନ୍ତା ତିନିଦିନ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେହିପରି ଆସନ୍ତା ୨୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏଥିଯୋଗୁ ରାଜ୍ୟରେ ଏବଂ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି।
ଲଘୁଚାପ ଯୋଗୁ ରାଜ୍ୟରେ ଗତ ଦୁଇଦିନ ହେବ ପ୍ରବଳ ବର୍ଷା ଲାଗିରହିଛି। ହୀରାକୁଦର ଜଳସ୍ତର ବଢ଼ିବା ସହିତ ମହାନଦୀ ଓ ଏହାର ବିଭିନ୍ନ ଶାଖାନଦୀ ମଧ୍ୟ ଫୁଲିବା ଆରମ୍ଭ କରିଛି। ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦରେ ୧୦ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨, ୪୦, ୫୯୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୧,୭୮,୬୩୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ସ୍ଥିତିକୁ ଦେଖି ଆହୁରି ଅଧିକ ଗେଟ୍‌ ଖୋଲାଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଏହି ଲଘୁଚାପ ଦୁର୍ବଳ ହେବାବେଳକୁ ଆଉ ଏକ ଲଘୁଚାପ ପରିସ୍ଥିତିକୁ ବିଗାଡ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜଳ ସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଏବଂ କୁଶଭଦ୍ରା ନଦୀରେ ବନ୍ୟାଜଳ ବୃଦ୍ଧି ପାଇଚାଲିଛି। ମହାନଦୀର ଖଇରମାଳଠାରେ ବନ୍ୟାଜଳ ସ୍ଥିର ରହିଛି। ହୀରାକୁଦ ପାଣି ପହଞ୍ଚିବା ପରେ ନଦୀଗୁଡ଼ିକ ଫୁଲିବ ବୋଲି ଅନୁମାନ କରାଯାଇଛି। ରାଜ୍ୟର ସମସ୍ତ ୭ଟି ଜଳଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି।
ଅବପାତ ଯୋଗୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, ଜଗତ୍‌ସିଂହପୁର, କଟକ ଏବଂ ଅନୁଗୋଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାର ପ୍ରଭାବରେ ଉକ୍ତ ଜିଲାଗୁଡ଼ିକର କେତେକ ଅଞ୍ଚଳ ଜଳବନ୍ଦୀ ହୋଇପାରେ। କଚ୍ଚାଘର ଭାଙ୍ଗିବା ସହିତ ରାସ୍ତା ଧୋଇ ହୋଇଯିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ନିଂ ଜାରି କରାଯାଇଛି । ଏହି ସମୟରେ କେନ୍ଦୁଝର, ଦେବଗଡ଼, ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ମାଲକାନଗିରି ଏବଂ କୋରାପୁଟ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ରାଜ୍ୟରେ ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଲଘୁଚାପ ଯୋଗୁ ୨୦ ତାରିଖରେ ଦକ୍ଷିଣ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୋଳ ଜିଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଲଘୁଚାପ ଯୋଗୁ ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହିବ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ଲଘୁଚାପକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ କେତେକ ସ୍ଥାନ ଜଳମଗ୍ନ ହୋଇଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୧୭ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବେଗୁନିଆରେ ୧୦, ବାଲିପାଟଣାରେ ୧୨, କଟକରେ ୧୬, ମୁଣ୍ଡଳିରେ ୧୧, ତିଗିରିଆରେ ୧୧, ରାଜଘାଟରେ ୧୫, ଚନ୍ଦନପୁରରେ ୧୪, ଜଳେଶ୍ୱରରେ ୧୧, ମାର୍ଶାଘାଇରେ ୧୧, କଣ୍ଟାପଡ଼ାରେ ୧୧, ବାଙ୍ଗିରିପୋଷୀରେ ୧୦, ଜାମଶୋଳାଘାଟରେ ୯, ଭୋଗରାଇରେ ୯, ବାଲିକୁଦାରେ ୮, କୁଜଙ୍ଗରେ ୮, ଗରଦପୁରରେ ୭, ଜଗତ୍‌ସିଂହପୁରରେ ୭, ବେତନଟୀରେ ୫, ରାଜକନିକାରେ ୪, ନୂଆଗଡ଼ାରେ ୫, ରାଇରଙ୍ଗପୁରରେ ୪, ଉଦଳାରେ ୩, ଯାନପୁରରେ ୩, ଠାକୁରମୁଣ୍ଡାରେ ୩ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।

Share