ପାକିସ୍ତାନରେ ପ୍ରବଳ ବର୍ଷା: ୮ ମୃତ

ଇସଲାମାବାଦ,୨୭ା୭: ପାକିସ୍ତାନର ସିନ୍ଧ୍‌ ଏବଂ ବେଲୁଚିସ୍ତାନ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସୂଚନାନୁସାରେ, ସିନ୍ଧ୍‌ ଏବଂ ବେଲୁଚିସ୍ତାନ ପ୍ରଦେଶରେ ବର୍ଷା ଯୋଗୁ ୮ ଜଣ ପ୍ରାଣ ହରାଇ ସାରିଲେଣି।

ରିପୋର୍ଟ ଅନୁଯାୟୀ, ସିନ୍ଧ୍‌ର ଖୈରପୁର ଜିଲାରେ ପ୍ରବଳ ବର୍ଷା ହେବାରୁ ଘରର ଛାତ ଭୁଶୁଡ଼ି ପଡ଼ିଛି। ଯେଉଁଥିରେ ଜଣେ ପୁରୁଷ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କ ଜୀବନ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ଗୁରୁତର ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, କରାଚିରେ ବର୍ଷା ଯୋଗୁ ୫ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ, ଲଗାତର ତୃତୀୟ ଦିନ ପାଇଁ ସହରର ଅନେକ ଅଞ୍ଚଳ ବର୍ଷା ପାଣିରେ ବୁଡ଼ି ରହିଛି। ଆହୁରି ମଧ୍ୟ ପ୍ରବଳ ବର୍ଷା ହେତୁ ମିରପୁରଖାସ, ଲାରକାନା, ଦାଦୁ, କାମ୍ବର-ଶାହାଦକୋଟ ଏବଂ ନିକଟବର୍ତ୍ତୀ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୁଧବାର ପର୍ଯ୍ୟନ୍ତ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଗୁରୁବାର ଠାରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ କହିଛି।

Share