ପ୍ରବଳ ବର୍ଷାରେ ପାହାଡ଼ି ପାଣି ଆସିବାରୁ ଟେମୁରୁପାଲ୍ଲୀ ଜଳମଗ୍ନ

ମାଲକାନଗିରି,୭ା୭(ଦୁର୍ଯ୍ୟୋଧନ ପାତ୍ର): ଗୁରୁବାରଠାରୁ ମାଲାକାନଗିରି ଜିଲାରେ ପ୍ରବଳ ବର୍ଷା ହେଉଥିବାର ଦେଖିବାକୁ ମିଳିଛି। ଏହି  ବର୍ଷାରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ଗ୍ରାମରେ ବର୍ଷାଜଳ ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଗ୍ରାମ ଜଳମଗ୍ନ ହୋଇଯାଇଛି। ତେବେ ପାହାଡ଼ ପାଣି ଆସି ଟେମୁରୁପାଲ୍ଲୀ ଗ୍ରାମ ଭିତରକୁ ପ୍ରବେଶ କରିବାରୁ ଏପରି ପରିସ୍ଥିତି ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଗ୍ରାମବାସୀ ବାହାରକୁ ଯିବା ବନ୍ଦ ହୋଇ ଯାଇଥିବା ବେଳେ ବାହାରର ଜନସାଧାରଣ ଗ୍ରାମ ଭିତରକୁ ପ୍ରବେଶ କରି ପାରୁନାହାନ୍ତି। ଏପରିକି ଗ୍ରାମର ପ୍ରବେଶ ପଥରେ ଥିବା ଆଗ୍ରି ଯୋଡ଼ି ପୋଲ ଉପରେ ୫ ଫୁଟ ଉଚ୍ଚତାରେ ବର୍ଷାଜଳ ବହୁଥିବାରୁ ଟେମୁରୁପାଲ୍ଲୀ ଗ୍ରାମକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। କେବଳ ସେତିକି ନୁହେଁ ଗ୍ରାମର ଶହ ଶହ ଏକର ଜମିରେ ବର୍ଷାଜଳ ପ୍ରବେଶ କରିବା ସହ ବନ୍ୟପ୍ରାଣୀ ମଧ୍ୟ ଜଳଘେରରେ ବନ୍ଦୀ ହୋଇ ରହିଛନ୍ତି। ଏ ସମ୍ବନ୍ଧରେ ଗ୍ରାମବାସୀ ପ୍ରକାଶ କରିଛନ୍ତି ଯେ, ପୂର୍ବରୁ କେବେ ମଧ୍ୟ ଏପରି ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା। ଟେମୁରୁପାଲ୍ଲୀ ସମେତ ତୁଳସୀ, କେରମେଟି ରାସ୍ତାରେ ମଧ୍ୟ ମାଟି ଅତଡ଼ା ଖସି ଯାତାୟାତ ବନ୍ଦ ହୋଇଯାଇଛି। ତୁଳସୀ ପାହାଡ଼ରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ସୀମା ସୁରକ୍ଷା ବଳ କ୍ୟାମ୍ପରେ ରହୁଥିବା ଯବାନଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚିବାରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ତେବେ ଆଗକୁ ଆହୁରି ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Share