ଉପର ମୁଣ୍ଡରେ ପ୍ରବଳ ବର୍ଷା: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର,୨୬ା୮(ପ୍ରମୋଦ ବହିଦାର):ଉପର ମୁଣ୍ଡରେ ବର୍ଷା ଜାରିରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରବିବାର ଜଳଭଣ୍ଡାରର ଅଧିକ ୬ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ ଏହି ୬ଟି ଗେଟ୍‌କୁ ମିଶାଇ ବର୍ତ୍ତମାନ ଜଳଭଣ୍ଡାରର ମୋଟ ୨୦ଟି ଗେଟ୍‌ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରିରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨ଫୁଟ୍‌ରେ ପହଞ୍ଚିଛି। ସନ୍ଧ୍ୟା ସାଢ଼େ ୬ଟାରେ ହସ୍ତଗତ ସୂଚନା ଅନୁସାରେ ହୀରାକୁଦ ଜଣଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୬ ହଜାର ୮୭୯ ଘନଫୁଟ୍‌ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୨୦ସ୍ଲୁଇସ୍‌ ଗେଟ୍‌ ଓ ବିଭିନ୍ନ କେନାଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ମୋଟ୍‌ ୩ ଲକ୍ଷ ୫୪ ହଜାର ୪୯୫ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପରମୁଣ୍ଡରେ ୧୪.୦୭ ମିଲିମିଟର ଓ ତଳମୁଣ୍ଡରେ ୯.୩୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।