Categories: ଜାତୀୟ

ପ୍ରବଳ ବର୍ଷା: ଦିଲ୍ଲୀ ଏନ୍‌ସିଆର୍‌ରେ ଅରେଞ୍ଜ ଓ୍ବାର୍ନିଂ ଜାରି

ନୂଆଦିଲ୍ଲୀ,୧୨।୭: ମଙ୍ଗଳବାର ସକାଳେ ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଦିଲ୍ଲୀକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିଲା। ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏପରି କି ରାଜଧାନୀର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏନେଇ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଏପରି କି ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ ଏବଂ ହରିୟାଣାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ। ଏହି ସମୟରେ ମୁମ୍ବାଇ ଏବଂ ଏହାର ପଡ଼ୋଶୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଆସନ୍ତା ୩ ଦିନ ପାଇଁ ଆଲର୍ଟ ଜାରି କରିଛି। ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଲଘର, ନାଶିକ ଏବଂ ପୁଣେ ଜିଲାରେ ଆଇଏମ୍‌ଡି ରେଡ୍‌ ଆଲର୍ଟ ଜାରି କରିଛି। ଏହି ସମୟରେ ଜୁଲାଇ ୧୨-୧୩ ପାଇଁ ରାୟଗଡ ଜିଲା ପାଇଁ ମଧ୍ୟ ସମାନ ସତର୍କ ସୂଚନା ଜାରି କରାଯାଇଛି। ରତ୍ନଗିରି, କୋଲ୍‌ହାପୁର ଏବଂ ଗାଡଚିରୋଲି ଜିଲାରେ ମଙ୍ଗଳବାର ରେଡ୍‌ ଆଲର୍ଟରେ ଜାରି କରାଯାଇଛି।

Share