ସୁଭଦ୍ରା KYC ପାଇଁ ବ୍ୟାଙ୍କରେ ଠେଲାପେଲା: ଭିଡ଼ରେ ଜଣେ ଆହତ

ଭଦ୍ରକ,୯।୧୦: ସୁଭଦ୍ରା ପାଇଁ କଓ୍ବୋଇସି ଅପଡେଟ ବେଳେ ବୁଧବାର ଏକ ଅଭାବନୀୟ ସ୍ଥିତ ଦେଖିବାକୁ ମିଳିଛି। ବ୍ୟାଙ୍କରେ ପ୍ରବଳ ଭିଡ଼ ଓ ଠେଲାପେଲା ଭିତରେ ଜଣେ ଯୁବକଙ୍କ ଧକ୍କାରେ ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାସୁଦେବପୁର ଏସ୍‌ବିଆଇ ଶାଖା ପରିସରରେ। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଭିଡ ନିୟନ୍ତ୍ରଣ କରିବାକୁ ଉମ୍ୟମ ଚଳାଇଛି।

ସୂଚନା ଯୋଗ୍ୟ, ବୁଧବାର ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ବାରିପଦା ଛଉ ପଡ଼ିଆ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଟଙ୍କା ବଣ୍ଟନ କରିଛନ୍ତି।

ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଟଙ୍କାକୁ ନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦିଆଯାଇଛି। ସଂଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା। ଏଯାବତ ଏହି ଯୋଜନାରେ ୧ କୋଟି ୬୦ ଲକ୍ଷ ସୁଭଦ୍ରା ଫର୍ମ ବଣ୍ଟନ କରାଯାଇଛି। ସେଥିରୁ ପ୍ରାୟ ୧.୫ କୋଟି ମହିଳାଙ୍କ ଫର୍ମ ରେଜିଷ୍ଟ୍ରେସନ ହୋଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଆକାଉଣ୍ଟକୁ ୫ ହଜାର ଟଙ୍କା ଆସିଥିବା ନେଇ ହିତାଧିକାରୀ ପାଖକୁ ମେସେଜ ଆସିଛି। ଆଉ ସଂଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହାରି ଭିତରେ କୋଟିଏ ତମ ହିତାଧିକାରୀଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ବର୍ଦ୍ଧନା କରିବା ସହ ମାଉସୀଙ୍କୁ ଉପହାର ପ୍ରଦାନ କରାଯାଇଛି। ଏହି ସମୟରେ ମଞ୍ଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ମାଉସୀ ମଞ୍ଚ ଉପରୁ ଟର୍ଚ୍ଚ ମାରିଥିଲେ, ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ହସିବାକୁ ଲାଗିଥିଲେ।

Share