ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ଚାଲୁଛି ଭାରିଯାନ: ଉଠିଯାଉଛି ପିଚୁ, ସ୍ଥାୟିତ୍ୱ ନେଇ ପ୍ରଶ୍ନ

ସମ୍ବଲପୁର, ୧୩ା୭ (ଶୁଭାଶିଷ ପାଢୀ): ପ୍ରତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ରାସ୍ତା ନିର୍ମାଣ କରାଯାଇ ଗ୍ରାମାଞ୍ଚଳର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ହେଲେ ନିୟମ ବାହାରକୁ ଯାଇ ବହୁ ଗାଡି ଚାଳକ ଭାରିଯାନ ଚଳାଉଥିବାରୁ ରାସ୍ତା ଖରାପ ହୋଇଯାଉଥିବା ଅଭିଯୋଗ ହେଉଛି। ଏଭଳି ଏକ ଘଟଣା ସମ୍ବଲପୁର ଜିଲା ଫାଶୀମାଲ-ପୁରୁଣା ରାଞ୍ଚତ୍ରୋଡ ଭାୟା ବଞ୍ଜାରିବାହାଲ ରାସ୍ତାରେ ଦେଖିବାକୁ ମିଳିଛି। ଏହି ରାସ୍ତା ନିର୍ମାଣାଧୀନ ଥିବାବେଳେ ପ୍ରତିଦିନ ଏହା ଉପରେ ଶତାଧିକ ହାଇୱା ଓଭରଲୋଡ ନେଇ ଯାତାୟାତ କରୁଛନ୍ତି। ଫଳରେ କେତେକ ସ୍ଥାନରେ ପିଚୁ ଉଠିଯାଇଥିବା ବେଲେ ବିଛାଯାଇଥିବା ମାଟି ଦବିଯିବାକୁ ବସିଛି। କାମ ନ ସରୁଣୁ ରାସ୍ତା ପୁଣି ମରାମତି କରିବାକୁ ପଡୁଛି। ଭାରିଯାନ ଚଳାଚଳ ଯୋଗୁ ଅନ୍ୟ ଗାଡି ବିଶେଷକରି ଆମ୍ବୁଲାନ୍ସ, କାର୍‌, ଅଟୋ, ବାଇକ୍‌ ପାଇଁ ସମସ୍ୟା ହେଉଛି। ହାଇୱାଗୁଡିକ କେତେକ କମ୍ପାନୀ, କ୍ରଶରକୁ ମାଲ ପରିବହନ କରୁଛନ୍ତି। ସୂଚନାଯୋଗ୍ୟ, ପିଏମ୍‌ଜିଏସ୍‌ୱାଇରେ ୧୦ ଟନ ଓଜନ କ୍ଷମତା ବିଶିଷ୍ଟ ଗାଡି ଚଳାଚଳ କରିବା ପାଇଁ ଡିଜାଇନରେ ରାସ୍ତା ନିର୍ମାଣ କରାଯାଉଛି। ସେହି ଅନୁସାର ରାସ୍ତାର ଦୈର୍ଘ୍ୟ, ପ୍ରସ୍ତ ଓ ମେଟେରିଆଲ ବ୍ୟବହାର କରାଯାଇଥାଏ। ଏ ସମ୍ପର୍କରେ କୁଚିଣ୍ଡା ଆର୍‌ଡି ନିର୍ବାହୀଯନ୍ତ୍ରୀ ବିଶାଳ ମରାଣ୍ଡି କହିଛନ୍ତି, ସ୍ଥାନୀୟ ଜେଇ ଏ ନେଇ ଲିଖିତ ରିପୋର୍ଟ ଦେଇଛନ୍ତି। ଭାରିଯାନ ଚଳାଚଳ କରିବା ଭଳି ଡିଜାଇନ ରାସ୍ତାର କରାଯାଉ ନାହିଁ। ଗ୍ରାମାଞ୍ଚଳ ରାସ୍ତା ହାଲୁକା ଯାନ ପାଇଁ ରହିଛି। ହେଲେ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତା ନଷ୍ଟ ହେଉଛି। ରିପୋର୍ଟକୁ ଆଧାର କରି ପଦକ୍ଷେପ ନେବା ପାଇଁ ଜିଲାପାଳ ଓ ମୁଖ୍ୟଯନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି କହିଥିଲେ।