Categories: ଜାତୀୟ

ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଚାଲିଗଲା ମହିଳାଙ୍କ ଜୀବନ

ଲକ୍ଷ୍ନୌ, ୨୬ା୬: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତବେଳେ ଗାଡ଼ି ଚଳାଚଳ ଉପରେ ରୋକ ଲଗାଇ ଦେଇଥିଲା ପୋଲିସ। ଏଥି ଯୋଗୁ ସୃଷ୍ଟି ହୋଇଥିବା ଟ୍ରାଫିକରେ ଫସି ଜଣେ ଅସୁସ୍ଥ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଇଣ୍ଡିଆନ ଆସୋସିଏଶନ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ର ଓମେନ୍ସ ଓ୍ବିଙ୍ଗ୍‌ ଅଫ୍‌ କାନପୁର ଚାପ୍ଟରର ମୁଖ୍ୟ ବନ୍ଦନା ମିଶ୍ର(୫୦)।

ବନ୍ଦନାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତ୍ତି କରିବା ଜରୁରୀ ବୋଲି ପରିବାର ଲୋକେ ପୋଲିସକୁ ଜଣାଇଥିଲେ। ତାହାକୁ କର୍ଣ୍ଣପାତ କରି ନ ଥିଲା ପୋଲିସ। କିଛି ଦିନ ତଳେ କୋଭିଡ୍‌ରୁ ସୁସ୍ଥ ହୋଇଥିବା ବନ୍ଦନା ଶୁକ୍ରବାର ରାତିରେ ହଠାତ୍‌ ଗୁରୁତର ହୋଇପଡିଥିଲେ। ହସ୍ପିଟାଲ ପହଞ୍ଚିବାରେ ବିଳମ୍ବ ହେବାରୁ ତାଙ୍କ ମୃତ୍ୟୁ ଘଟିଥିଲା। ପୋଲିସର ଏଭଳି କାର୍ଯ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି କାନପୁର ପୋଲିସ ମୁଖ୍ୟ ଅସିମ ଅରୁଣ। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଜଣେ ସବ୍‌ଇନ୍ସପେକ୍ଟର ଏବଂ ୩ ଜଣ କନଷ୍ଟେବଳକୁ ସସ୍‌ପେଣ୍ଡ କରାଯାଇଛି।

Share