ନେପାଳରେ ହେଲିକପ୍ଟର ଦୁର୍ଘଟଣା: ୬ ମୃତ

କାଠମାଣ୍ଡୁ, ୧୨ା୭(ପି.ଟି.): ପୂର୍ବ ନେପାଳର ଏଭେରେଷ୍ଟ ଶୃଙ୍ଗ ନିକଟରେ ମଙ୍ଗଳବାର ସକାଳେ ଏକ ଘରୋଇ ବ୍ୟବସାୟିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମେକ୍ସିକୋର ଏକ ପରିବାରର ୫ ସଦସ୍ୟ ଅଛନ୍ତି। ଖବର ଅନୁଯାୟୀ ମନାଙ୍ଗ ଏୟାର ଏନ୍‌ଏ-ଏମ୍‌ଭି ହେଲିକପ୍ଟର ସକାଳ ୧୦ଟା ୪ ମିନିଟ୍‌ରେ ସୋଲୁଖୁମ୍ବୁ ଜିଲାର ସୁର୍କେ ବିମାନବନ୍ଦରରୁ କାଠମାଣ୍ଡୁ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ୧୦ଟା ୧୩ ମିନିଟ୍‌ ସମୟରେ ହେଲିକପ୍ଟରଟି ୧୨,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିବାବେଳେ ହଠାତ୍‌ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳକ କହିଛନ୍ତି। ଏହା ସୋଲୁଖୁମ୍ବୁ ଜିଲାର ଲିଖୁପିକେ ରୁରାଲ ମ୍ୟୁନିସିପାଲିଟିର ଲାମଜୁରାରେ ଦୁର୍ଘଟଣାଗ୍ରସ୍ତ ହେବା ସହ ସମସ୍ତ ୬ ଜଣ ପ୍ରାଣ ହରାଇଥିବା ବିମାନବନ୍ଦର ମୁଖପାତ୍ର କହିଛନ୍ତି। ଦୁର୍ଘଟଣାସ୍ଥଳରୁ ସେମାନଙ୍କ ମୃତଦେହ ମିଳିଛି।

Share