ହିଲିୟମ-୩: ଚନ୍ଦ୍ରପୃଷ୍ଠର ସୁନା

ଭାରତୀୟ ମହାକାଶଯାନ ଚନ୍ଦ୍ରୟାନ-୧ ଏବଂ ଚନ୍ଦ୍ରୟାନ-୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍‌ମାନ ଅବତରଣ କରାଇ ସେଠାର ଭୌଗୋଳିକ ତଥା ଭୂତାତ୍ତ୍ୱିକ ଅନୁସନ୍ଧାନ କରିବା ଫଳରେ ଏହାର ଶିଳା ଏବଂ ମୃତ୍ତିକାରେ ବିବିଧ ଖଣିଜ ସମ୍ପଦ ତଥା ଜଳ ଓ ଅମ୍ଳଜାନ ଇତ୍ୟାଦିର ସନ୍ଧାନ ମିଳିପାରିଛି। ଏଥିପୂର୍ବରୁ ଚାଇନାର ଚିଂଗ୍‌ଇ-୪ (୨୦୧୮) ଏବଂ ଚିଂଗ୍‌ଇ-୫ (୨୦୨୦)ରୁ ଏବଂ ତା’ ଆଗରୁ ଆମେରିକାର ମାନବବାହୀ ଆପୋଲୋ ଯାନଗୁଡ଼ିକ (୧୯୬୯ରୁ ୧୯୭୨) ମଧ୍ୟ ତହିଁରୁ ଅନେକଙ୍କ ସମ୍ପର୍କରେ ସୂଚନାମାନ ପ୍ରଦାନ କରିଥିଲେ। ତେବେ ତନ୍ମଧ୍ୟରୁ ଏବେ ସର୍ବାଧିକ ଦୃଷ୍ଟି ଆକର୍ଷଣକାରୀ ପାଲଟିଛି ହିଲିୟମ-୩। ଆଗାମୀ ଭବିଷ୍ୟତ ପାଇଁ ଅସରନ୍ତି ଶକ୍ତିର ଉତ୍ସ ରୂପେ ପରିଗଣିତ ଏହି ଉପାଦାନଟିକୁ ‘ଚନ୍ଦ୍ରପୃଷ୍ଠର ସୁନା’ ରୂପେ ଅଭିହିତ କରାଗଲାଣି।
ହିଲିୟମ୍‌କୁ ମୌଳିକ ପଦାର୍ଥମାନଙ୍କ ତାଲିକା ବା ‘ପିରିୟଡିକ୍‌ ଟେବୁଲ୍‌’ର ଦ୍ୱିତୀୟ ସ୍ଥାନରେ ସ୍ଥାନିତ କରାଯାଏ, ଠିକ୍‌ ଉଦ୍‌ଜାନର ପରେ ପରେ। କାରଣ ଏହା ୨ଟି ନିଉଟ୍ରନ୍‌ ଓ ୨ଟି ପ୍ରୋଟନ୍‌ରେ ଗଢ଼ା ଏବଂ ସେଥିପାଇଁ ଏହାର ପାରମାଣବିକ ରାଶି ୨ ଏବଂ ପାରମାଣବିକ ବସ୍ତୁତ୍ୱ ୪ (ଉଦ୍‌ଜାନର ଏ ଉଭୟ ୧, ଯେହେତୁ ଏହା ଗୋଟିଏ ମାତ୍ର ପ୍ରୋଟନ୍‌ରେ ଗଢ଼ା)। ତେବେ ଏହାର ଅନ୍ୟ ଏକ ୩ ପରମାଣୁ ବସ୍ତୁତ୍ୱ ବିଶିଷ୍ଟ ସୁସ୍ଥିର ସମସ୍ଥାନିକ ରହିଛି। ଏହା ୨ଟି ପ୍ରୋଟନ୍‌ ଏବଂ ଗୋଟିଏ ନିଉଟ୍ରନ୍‌ରେ ଗଢ଼ା। ସେଥିପାଇଁ ଏହାକୁ ନାମିତ କରାଯାଏ ହିଲିୟମ-୩ ରୂପେ। ପ୍ରାକୃତିକ ନମୁନାରେ ଏହା ଅତି ସ୍ବଳ୍ପମାତ୍ରାରେ ଥାଏ।
ଅଷ୍ଟ୍ରେଲିଆର ନାଭିକୀୟ ପଦାର୍ଥବିଜ୍ଞାନୀ ମାର୍କ ଓଲିଫଣ୍ଟ ୧୯୩୪ ରେ ଏହା (ହିଲିୟମ-୩) ଆବିଷ୍କାର କରିଥିଲେ। ଅଣ-ତେଜଷ୍କ୍ରିୟ ହୋଇଥିବାରୁ ଏହାକୁ ଭାରିଉଦ୍‌ଜାନ ବା ଡିଉଟେରିୟମ୍‌ ସହିତ ସଂଯୋଜନ ରିଆକ୍ଟରରେ ଇନ୍ଧନ ରୂପେ ବ୍ୟବହାର କରିବା ଅଧିକ ନିରାପଦ ହେବ ବୋଲି ମନେକରାଯାଉଛି। ପୁନଶ୍ଚ ଏଥିରୁ ଡିଉଟେରିୟମ୍‌-ଟ୍ରିଟିୟମ୍‌ ଇନ୍ଧନ ଭଳି ଉଚ୍ଚଶକ୍ତି ସମ୍ପନ୍ନ ନିଉଟ୍ରନ୍‌ ମଧ୍ୟ ନିର୍ଗତ ହେବ ନାହିଁ।
ବର୍ତ୍ତମାନ ବ୍ୟବହୃତ ସମସ୍ତ ପରମାଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ନାଭିକୀୟ ବିଭାଜନ ପଦ୍ଧତି ଅନୁସରଣ କରୁଥିବା ରିଆକ୍ଟରମାନ ଉପଯୋଗ କରୁଛନ୍ତି। ଏଥିରୁ ସାଧାରଣତଃ ୟୁରାନିୟମ୍‌-୨୩୫ର ନାଭିକକୁ ଶକ୍ତିଶାଳୀ ନିଉଟ୍ରନ୍‌ ସଂଘାତ ଦ୍ୱାରା ବିଭାଜିତ କରି ଶକ୍ତି ଉତ୍ପନ୍ନ କରାଯାଏ। ତେବେ ତହିଁରୁ ନିର୍ଗତ ହୁଏ ତେଜଷ୍କ୍ରିୟ ଆବର୍ଜନା, ଯାହାକି ପରିବେଶ ପାଇଁ ବିପଜ୍ଜନକ ଏବଂ ତାହାର ସୁପରିଚାଳନା ମଧ୍ୟ ଦୁଃସାଧ୍ୟ। ଅନ୍ୟପକ୍ଷରେ ଡିଉଟେରିୟମ୍‌ (ଭାରିଉଦ୍‌ଜାନ) ଏବଂ ଟ୍ରିଟିୟମ୍‌ (ଅତିଭାରି ଉଦ୍‌ଜାନ)କୁ ଇନ୍ଧନ ରୂପେ ବ୍ୟବହାର କରାଯାଉଥିବା ସଂଯୋଜନ ରିଆକ୍ଟରରେ ଏହି ପରମାଣୁମାନଙ୍କ ନାଭିକଗୁଡ଼ିକର ସଂଯୋଜନ ପାଇଁ ପ୍ରାୟ ୧୫୦ ନିୟୁତ କେଲଭିନ୍‌ ତାପମାତ୍ରା ଆବଶ୍ୟକ ହୁଏ ଏବଂ ଏଥିରୁ ହିଲିୟମ ସହିତ ଉଚ୍ଚ ଶକ୍ତିସମ୍ପନ୍ନ ନିଉଟ୍ରନ୍‌ ମଧ୍ୟ ନିର୍ଗତ ହୁଏ, ଯାହାକି ଏ ବ୍ୟବସ୍ଥାର ପ୍ରାଚୀରରେ ଆଘାତ ଦେଇ ତାହାକୁ କ୍ଷତି ପହଞ୍ଚାଏ। ତେବେ ଏ ପ୍ରକାର ରିଆକ୍ଟର ଆଜିସୁଦ୍ଧା ବ୍ୟବସାୟିକ ଭିତ୍ତିରେ ଶକ୍ତି ଉତ୍ପାଦନ ଲାଗି ବ୍ୟବହୃତ ହୋଇ ପାରିନାହିଁ। ଆଗାମୀ ୨୦୩୦ରୁ ୨୦୫୦ ମଧ୍ୟରେ ତାହା ସମ୍ଭବ ହୋଇପାରେ ବୋଲି ମନେକରାଯାଏ।
ଅନ୍ୟପକ୍ଷରେ ସଂଯୋଜନ ରିଆକ୍ଟରରେ ହିଲିୟମ-୩କୁ ଇନ୍ଧନ ରୂପେ ବ୍ୟବହାର କଲେ ତହିଁରୁ ଉଚ୍ଚଶକ୍ତି ସମ୍ପନ୍ନ ନିଉଟ୍ରନ ବଦଳରେ ପ୍ରୋଟନ ନିର୍ଗତ ହେବ। ଏଥିରେ ଯୁକ୍ତାତ୍ମକ ଚାର୍ଜ ଥିବାରୁ ଏହାକୁ ବୈଦ୍ୟୁତିକ ବା ଚୁମ୍ବକୀୟ କ୍ଷେତ୍ରରେ ଧରି ରଖିହେବ। ଅତଏବ ତାହା ରିଆକ୍ଟର ବ୍ୟବସ୍ଥାକୁ ଆଘାତ ଦେବ ନାହିଁ। ତେବେ ଏହି ସଂଯୋଜନ ପ୍ରକ୍ରିୟା ଆରମ୍ଭ ପାଇଁ ଆବଶ୍ୟକ ହେବ ଅନେକ ଗୁଣ ଅଧିକ ତାପ ଏବଂ ଅନେକ ଗୁଣ ବୃହତ୍ତର ରିଆକ୍ଟର, ଯାହାକି ଖର୍ଚ୍ଚବହୁଳ। ତଥାପି ଆଶା କରାଯାଏ, ନୂତନ ପ୍ରଯୁକ୍ତିବିଦ୍ୟାର ବିକାଶ ଏ ସମସ୍ୟାକୁ ଦୂର କରିପାରିବ। ପୁନଶ୍ଚ ହିଲିୟମ-୩ର ରହିଛି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବହାର। ଏହାକୁ ବିବିଧ ବୈଜ୍ଞାନିକ ଅଧ୍ୟୟନ, ଗବେଷଣା ଓ ପ୍ରଯୁକ୍ତିବିଦ୍ୟାରେ ନିୟୋଜିତ କରାଯାଇପାରିବ।
ପୃଥିବୀପୃଷ୍ଠରେ ପ୍ରାକୃତିକ ଭାବେ ମିଳୁଥିବା ହିଲିୟମ-୩ର ମାତ୍ରା ମାତ୍ର ୦.୦୦୦୧୩ ଶତାଂଶ (ସମୁଦାୟ ୨୫ କିଲୋଗ୍ରାମରୁ କମ୍‌)। ଟ୍ରିଟିୟମ୍‌ର ବିଘଟନରୁ ତାହା କିଂଚିତ୍‌ ପରିମାଣରେ ମଧ୍ୟ ସୃଷ୍ଟି ହୁଏ, ଯାହାକି ଯଥେଷ୍ଟ ନୁହେଁ। ଅନ୍ୟପକ୍ଷରେ, ଚନ୍ଦ୍ରପୃଷ୍ଠ ଏଥିରେ ବେଶ୍‌ ସମୃଦ୍ଧ। ଚନ୍ଦ୍ରରୁ ଏହାର ଖନନ କରିବାର ଚିନ୍ତାଧାରା ପ୍ରଥମେ ଏକ ନିର୍ଦ୍ଦିଷ୍ଟ ରୂପ ନେଇଥିଲା ୧୯୮୬ରେ; ଯେତେବେଳେ ମେଡିସନ୍‌ସ୍ଥିତ ଉଇଲକିନ୍‌ସନ୍‌ ବିଶ୍ୱବିଦ୍ୟାଳୟର ଜେରାଲଡ୍‌ କୁଲିସିନିସ୍କି ତାହା ସେଠାରୁ ଆଣି ସଂଯୋଜକ ରିଆକ୍ଟରରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବାର ପ୍ରସ୍ତାବ ରଖିଥିଲେ। ତେବେ ଏଥିପାଇଁ ପ୍ରତିଯୋଗିତା ଆରମ୍ଭ ହେଲା ଚାଇନାର ୨୦୦୭ ମସିହା ଚନ୍ଦ୍ର ଅଭିଯାନ ପରେ। ସେଥିପୂର୍ବରୁ ଆମେରିକା, ରୁଷିଆ ଏବଂ ଭାରତ ଭଳି ଅନ୍ୟସବୁ ଚନ୍ଦ୍ର ବିଜୟୀ ଦେଶ ସେଠାରେ ଜଳ ଓ ଅମ୍ଳଜାନର ସଂଧାନ ଏବଂ ସେଠାର ବାସୋପଯୋଗିତା ଉପରେ ଅଧ୍ୟୟନକୁ ଗୁରୁତ୍ୱ ଦେବାକୁ ଲାଗିଲେ। ବିଶେଷକରି, ଚାଇନାର ଚିଂଗ୍‌ଇ ମିଶନ୍‌ ଅବତରଣ କଲାପରେ ଏ ପ୍ରତିଯୋଗିତା ତୀବ୍ରତର ହେଲା। ତତ୍ପରେ ଚିଂଗ୍‌ଇ-୪ ଏବଂ ଚିଂଗ୍‌ଇ-୫ ମିଶନଗୁଡ଼ିକ ସେଠାର ଭୂ-ତାତ୍ତ୍ୱିକ ସଂରଚନା ତଥା ଶିଳା ଓ ମୃତ୍ତିକାର ରାସାୟନିକ ଉପାଦାନ ଆଦି ବିଶ୍ଳେଷଣ କରିବା ଫଳରେ ହିଲିୟମ-୩ର ପରିମାଣ ଆପାତତଃ ସ୍ଥିର ହୋଇପାରିଲା। ଇତିମଧ୍ୟରେ ‘ଲୁନାର୍‌ ଏକ୍ସପ୍ଲୋରେସନ୍‌ ପ୍ରୋଗ୍ରାମ୍‌’ର ଦାୟିତ୍ୱରେ ଥିବା ଖଗୋଳ- ରସାୟନ ବିଜ୍ଞାନୀ ଓୟୁୟାଂଗ ଜିୟୁ ଆନ୍‌ ସୂଚିତ କରିସାରିଲେଣି ଯେ, ଏଣିକି ତାଙ୍କ ଦେଶର ଚନ୍ଦ୍ର ଅଭିଯାନଗୁଡ଼ିକର ଅନ୍ୟତମ ପ୍ରଧାନ ଲକ୍ଷ୍ୟ ହେବ ସେଠାରେ ହିଲିୟମ-୩ ଖନନ ଲାଗି ପ୍ରସ୍ତୁତି। କେତେକଙ୍କ ମତରେ ପ୍ରଥମ ଭାରତୀୟ ଚନ୍ଦ୍ର ଅବତରଣ ପ୍ରୋବ୍ସ (ଚନ୍ଦ୍ରୟାନ-୧)ର ମଧ୍ୟ ଏହା ଅନ୍ୟତମ ଆଭିମୁଖ୍ୟ ଥିଲା।
ବାସ୍ତବରେ ଚାଇନାର ଚନ୍ଦ୍ର ଅଭିଯାନ କାଳରେ ସେଠାରୁ କିଛି ହିଲିୟମ-୩ ସ୍ଫଟିକ ସଂଗ୍ରହ କରାଯାଇଥିଲା ବୋଲି କୁହାଯାଏ। ଚନ୍ଦ୍ରର ଅନ୍ଧକାରମୟ ପାର୍ଶ୍ୱ ଅତ୍ୟଧିକ ଶୀତଳ ହୋଇଥିବାରୁ ସେଠାରେ ଏହା ଏହି ଅବସ୍ଥାରେ ଥାଏ। ପୁନଶ୍ଚ ଏବେ ଶୁଣାଯାଉଛି ଯେ, ଚାଇନା ପୃଥିବୀର ଏକ ଉଚ୍ଚତର କକ୍ଷରେ ହିଲିୟମ-୩ ଚାଳିତ ସଂଯୋଜନ ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରି ସେଠାରୁ ତାହା ତାଙ୍କ ଦେଶକୁ ପ୍ରେରଣ କରିବାର ଏବଂ ପୃଥିବୀପୃଷ୍ଠରେ ସ୍ଥାପିତ କିଛି ଆଣ୍ଟେନା ଦ୍ୱାରା ତାହା ସଂଗ୍ରହ କରିବାର ଯୋଜନା କରୁଛି। ଅବଶ୍ୟ ଏହାର ସଫଳତା ଏକ ଦୃଶ୍ୟମାନ ନିକଟ ଭବିଷ୍ୟତରେ ସମ୍ଭବ ମନେ ହେଉନାହିଁ। ତେବେ ଥରେ ତାହା ଆରମ୍ଭ ହୋଇଗଲେ ଚନ୍ଦ୍ରପୃଷ୍ଠରୁ ଥରକେ ୧୨ଟନ୍‌ ପର୍ଯ୍ୟନ୍ତ ହିଲିୟମ୍‌-୩ ଅଣାଯାଇପାରିବ, ଯାହାକି ବର୍ଷକ ପାଇଁ ତାଙ୍କ ଦେଶର ଶକ୍ତି ଆବଶ୍ୟକତା ପୂରଣ କରିପାରିବ (ଭାରତର ୪ ବର୍ଷର)। ସେକକଥିପାଇଁ ଚନ୍ଦ୍ରପୃଷ୍ଠରେ ଗଚ୍ଛିତ ଏହି ‘ସୁନା’ ଉପରେ ଆଧିପତ୍ୟ ବିସ୍ତାର କରିବା ଲାଗି ଏବେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ‘ଶୀତଳଯୁଦ୍ଧ’। ଏହା ଯଦି ସଫଳ ହୁଏ, ତା’ହେଲେ ଚନ୍ଦ୍ରରେ ଗଚ୍ଛିତ ହିଲିୟମ-୩ ଆଗାମୀ ପ୍ରାୟ ୧୦ ହଜାର ବର୍ଷ ଲାଗି ପୃଥିବୀର ସମସ୍ତ ଶକ୍ତି ଆବଶ୍ୟକତା ପୂରଣ କରିବାକୁ ସମର୍ଥ ହେବ ବୋଲି ମନେ କରାଯାଉଛି। ଅତଏବ ତାହା ପାଲଟିଯିବ ସୁନାଠାରୁ ଅଧିକ ବାଂଛିତ ଏବଂ ଉପଯୋଗୀ।

  • ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
    ଖଣ୍ଡଗିରି ବିହାର, ଭୁବନେଶ୍ୱର
    ମୋ: ୯୯୩୭୩୦୧୪୬୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri