କାରରୁ ନରକଙ୍କାଳ ମିଳିବା ଘଟଣା : ସାମ୍ନାକୁ ଆସିଲା ସ୍କେଚ୍‌

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଖୋର୍ଦ୍ଧା ଜିଲା ଯାଁଳା ଫାଣ୍ଡିରେ ଜବତ କାରରୁ ମାସେ ତଳେ ଏକ ନରକଙ୍କାଳ ମିଳିଥିଲା। ଏହି ଘଟଣାରେ ମହିଳାଙ୍କ ମୁହଁର ସ୍କେଚ ଆସିଛି। ବେଙ୍ଗାଲୁରୁର ଏକ ବେସରକାରୀ ସଂସ୍ଥାର ଲ୍ୟାବକୁ ଏହି ଦାୟିତ୍ୱ ଦିଆଯାଇଥିଲା। ନରକଙ୍କାଳ ନମୁନାରୁ ସ୍କଲ ମ୍ୟାପିଂ ସହ ଡାଟାବେସକୁ ଆଧାର କରାଯାଇ ସ୍କେଚ ତିଆରି କରାଯାଇଛି। ମହିଳାଙ୍କ ସ୍କେଚକୁ କମିଶନରେଟ ପୁଲିସ ଜାରି କରିଥିବା ନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ଶୁକ୍ରବାର ସୂଚନା ଦେଇଛନ୍ତି। ମହିଳାଙ୍କୁ ଚିହ୍ନଟ ପାଇଁ ପୁଲିସ ସ୍କେଚକୁ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ପୋଷ୍ଟର ଲଗାଇବାକୁ ପୋଲିସ ଯୋଜନା କରିଥିବା ଜଣାପଡ଼ିଛି। ନରକଙ୍କାଳର ନଖ, ଚୁଟି ଓ ଅନ୍ୟ ସଂସ୍ଥାର ନମୁନା ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ ଅପରାଧ ବିଧି ବିଜ୍ଞାନଗାର (ସିଏଫଏସଏଲ) ଲ୍ୟାବ ପକ୍ଷରୁ ଏକ ସ୍କେଚ କମିଶନରେଟ ପୁଲିସ୍କୁ ପଠାଯାଇଥିଲା । କିନ୍ତୁ ଏଥିରୁ ସ୍କଲ ମ୍ୟାପିଂ ପ୍ରକ୍ରିୟାରେ ଫେସ ରିକ୍ରିଏସନ (ମୁହଁ ପୁନର୍ଗଠନ) କରିବାରେ କଷ୍ଟ ହୋଇଥିଲା । ତେଣୁ ବେଙ୍ଗାଲୁରୁର ଏକ ବେସରକାରୀ ସଂସ୍ଥାର ଲ୍ୟାବକୁ ଏହି ଦାୟିତ୍ୱ ଦିଆଯାଇଥିଲା । ସୋମବାର ମହିଳାଙ୍କ ସ୍କେଚ କମିଶନରେଟ ପୁଲିସ ପକ୍ଷରୁ ଜାରି କରାଯାଇଛି। ସ୍କେଚରେ ଥିବା ମହିଳାଙ୍କ ବୟସ ୪୦-୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ସୂଚନା ଯୋଗ୍ୟ, ୨୦୧୯ରେ ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୁଲିସ ମହିନ୍ଦ୍ରା ଗାଡି(ଓଡି୦୨ଡି ୩୭୩୭)ଟିକୁ ସିଜ କରିଥିଲା । ସେବେଠୁ ଗାଡ଼ିଟି ଯାଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା । ଗତ ଫେବୃଆରୀ ୧୨ରେ ପରିତ୍ୟକ୍ତ ଅବସ୍ଥାରେ ଥିବା ମହିନ୍ଦ୍ରା ଏକ୍ସୟୁଭି ଗାଡି ଭିତରୁ ଏହି କଙ୍କାଳ ଉଦ୍ଧାର ହୋଇଥିଲା । ସାଇଣ୍ଟିଫିକ ଟିମ ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣେ ମହିଳାଙ୍କ ଶବ ଏବଂ ବୟସ ପ୍ରାୟ ୪୫ ବର୍ଷ ବୋଲି ଜଣାପଡି଼ଛି । ଏ ନେଇ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବନ କରାଯାଇଛି ।

Share