Categories: ଜାତୀୟ

ହାଲୋ ରାମଦାସଜୀ, ଆପଣ ମନ୍ତ୍ରୀ ହେବାକୁ ଯାଉଛନ୍ତି… ଫିତା କାଟୁଥିଲେ ବିଧାୟକ, ଫୋନ୍‌ କଲେ ହେମନ୍ତ ସୋରେନ

ରାଞ୍ଚି,୩୦।୮: ହାଲୋ….ରାମଦାସଜୀ, ଆପଣ ମନ୍ତ୍ରୀ ହେବାକୁ ଯାଉଛନ୍ତି। ଝାଡଖଣ୍ଡରେ ହଠାତ୍‌ ଜଣେ ବିଧାୟକଙ୍କ ପାଖକୁ ଫୋନ ଆସିଥିଲା। ଆଉ ସେ ବି ସିଏମ ହାଉସ୍‌ରୁ। ବିଧାୟକଜଣକ ସେତେବେଳେ ଗୋଟିଏ ସ୍ଥାନରେ ଶିଳାନ୍ୟାସ କରୁଥିଲେ। ହଠାତ୍‌ ଏକ ଅଜଣା ଫୋନ୍‌ କଲ୍‌ ଦେଖି ଫୋନ୍‌ ଉଠାଇଥିଲେ। ସେପଟୁ ଉତ୍ତରରୁ ଆସିଲା, ହାଲୋ ରାମଦାସଜୀ….ସିଏମ ହାଉସ୍‌ରୁ କହୁଥିଲି। ଏକଥା ଶୁଣି ଶିଳାନ୍ୟାସ ପାଇଁ ଫିତା କାଟୁଥିବା ବିଧାୟକଜଣକ ଘାବରେଇ ଯାଇଥିଲେ। କିନ୍ତୁ ପରେ ସେପଟୁ ଣୁଣିବାକୁ ମିଳିଲା, ଆପଣଙ୍କୁ ମନ୍ତ୍ରୀ କରାଯିବ। ଶୀଘ୍ର ସିଏମ ଅଫିସରେ ପହଞ୍ଚନ୍ତୁ। ଅଗଷ୍ଟ ୩୦ରେ ରାଞ୍ଚିରେ ସକାଳ ୧୧ଟାରେ ଆପଣ ଶପଥ ନେବେ। ଏହାପରେ କଲ୍‌ କଟି ଯାଇଥିଲା। ଏହି ପଦିଏ କଥା ଶୁଣି ବିଧାୟକଙ୍କ ମୁହଁରେ ଖୁସିର ଲହରି ଖେଳିଗଲା। ଏହି ଘଟଣା ଘଟିଛି ବିଧାୟକ ରାମଦାସ ସୋରେନଙ୍କ କ୍ଷେତ୍ରରେ। ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ଚେଙ୍ଗଜୋଡା ଠାରେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାବେଳେ ମନ୍ତ୍ରୀ ହେବା ପାଇଁ ତାଙ୍କ ସହ ତାଜୁବ କଲାଭଳି ଫୋନ କଲ୍‌ ଆସିଥିଲା।

ଏପରି ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡରେ। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତର ଚମ୍ପାଇ ସୋରେନ ନିକଟରେ ଜେଏମଏମ ଛାଡିଛନ୍ତି। ସେ ଶୁକ୍ରବାର ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଚମ୍ପାଇଙ୍କ ଇସ୍ତଫା ଜେଏମଏମକୁ ବଡ଼ ଝଟ୍‌କା ଲାଗିଛି। ତେବେ ତାଙ୍କ ସ୍ଥାନ ପୂରଣ ପାଇଁ ହେମନ୍ତ ସୋରେନ, ରାମଦାସ ସୋରେନଙ୍କୁ ବାଛିଛନ୍ତି।

ଚମ୍ପାଇ ସୋରେନଙ୍କ ପରି ରାମଦାସ ମଧ୍ୟ ସାନ୍ତାଳ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି ଏବଂ କୋଲହାନରେ ବି ତାଙ୍କର ରାଜନୈତିକ ପ୍ରଭାବ ରହିଛି। ରାମଦାସ ସୋରେନ ଦୁଇଥର ଘାଟିଲା ଠାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଚମ୍ପାଇ ସୋରେନଙ୍କ ଯିବା ପରେ ହେମନ୍ତ ସୋରେନ କ୍ଷତିପୂରଣ ପାଇଁ ରାମଦାସଙ୍କୁ ବାଛିଛନ୍ତି।

Share