Categories: ଫୁରସତ

କୁକୁର ମୁଣ୍ଡରେ ହେଲ୍‌ମେଟ୍‌

ଚେନ୍ନାଇ: ଆଜିକାଲି ସମୟରେ ମଣିଷ ବିଭିନ୍ନ ପ୍ରାଣୀକୁ ଘରେ ପାଳୁଥିବା ଦେଖିବାକୁ ମିଳୁଛି। ତେବେ କୁକୁରକୁ ଲୋକେ ଅଧିକ ମାତ୍ରାରେ ପାଳିବା ସହ ସେମାନଙ୍କ ଯତ୍ନ ମଧ୍ୟ ନେଉଛନ୍ତି। ସେମାନଙ୍କୁ ନିଜ ସହ କାର୍‌ କିମ୍ବା ସ୍କୁଟିରେ ବିଭିନ୍ନ ସ୍ଥାନକୁ ମଧ୍ୟ ବୁଲେଇବାକୁ ନେଉଛନ୍ତି। ହେଲେ ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଟିକେ ଅଜବ ଲାଗିବ। ଏକ କୁକୁର ହେଲ୍‌ମେଟ ପିନ୍ଧି ବାଇକ୍‌ରେ ବସି ଯାଉଥିବା ଦେଖିବାକୁ ମିଳିଛି। ଏହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ରାସ୍ତାରେ ଯିବା ସମୟରେ ସମସ୍ତଙ୍କୁ ରାସ୍ତାର ନିୟମ ମାନିବାକୁ ପଡିଥାଏ। ବାଇକ୍‌ ଚଲାଇବାବେଳେ ହେଲ୍‌ମେଟ ପିନ୍ଧିବାକୁ ପଡ଼େ। ତେବେ ଭାଇରାଲ ଭିଡିଓରେ ଦେଖାଯାଉଥିବା ଗାଡ଼ିର ନମ୍ବର ପ୍ଲେଟ୍‌ରୁ ଜଣାପଡୁଛି ଯେ ଗାଡ଼ିଟି ତାମିଲନାଡୁର। ସେଥିରେ ଜଣେ ବ୍ୟକ୍ତି ବାଇକ୍‌ ଚଲାଉଥିବାବେଳେ ତାଙ୍କ ପଛରେ ହେଲ୍‌ମେଟ ପିନ୍ଧି ଜଣେ ମହିଳା ବସିଥିବା ଭଳି ପ୍ରଥମେ ଦେଖାଗଲା। ହେଲେ ବାଇକ୍‌ ପାଖକୁ ଯିବାରୁ ଜଣାପଡ଼ିଲା ଯେ ତାହା କୁକୁର। ସେ ମଣିଷଙ୍କ ଭଳି ବାଇକ୍‌ ପଛରେ ବସି ହେଲ୍‌ମେଟ ପିନ୍ଧିଥିଲା। ବ୍ୟକ୍ତି ଜଣକ ନିଜର ସୁରକ୍ଷା ସହ ତାଙ୍କ କୁକୁରର ସୁରକ୍ଷା ଦୃଷ୍ଟିରୁ ଏପରି ହେଲ୍‌ମେଟ ପିନ୍ଧାଇଥିବା କହିଥିଲେ। ଏହି ଭିଡିଓରେ ଲୋକେ ବହୁତ ମଜାଳିଆ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି।

Share