କୋଭିଡ୍‌ରେ ଅନାଥ ଶିଶୁଙ୍କୁ ସହାୟତା ଦିଅ

ନୂଆଦିଲ୍ଲୀ, ୨୯।୫: କରୋନା ମହାମାରୀ ଦେଶରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ଫଳରେ କେତେ ପିଲା ଯେ ସେମାନଙ୍କ ମାଆବାପାଙ୍କୁ ହରାଇ ଅନାଥ ହୋଇଛନ୍ତି, ତାହା କଳ୍ପନା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତୁରନ୍ତ ଅନାଥ ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀରେ ମାଆବାପାଙ୍କୁ ହରାଇ ରାସ୍ତାରେ ଖାଲି ପେଟରେ ବୁଲୁଥିବା ପିଲାମାନଙ୍କ ଯନ୍ତ୍ରଣାକୁ ହୃଦୟଙ୍ଗମ କର ଏବଂ କାଳ ବିଳମ୍ବ ନ କରି ତୁରନ୍ତ ସେମାନଙ୍କ ଯତ୍ନ ନେବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଅ ବୋଲି ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଜିଲା ପ୍ରଶାସନଗୁଡ଼ିକ ସେମାନଙ୍କ ଅଞ୍ଚଳରେ ଥିବା ଅନାଥ ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କ ବିବରଣୀ ଜାତୀୟ ଶିଶୁ ସୁରକ୍ଷା କମିଶନ (ଏନ୍‌ସିପିସିଆର୍‌) ଓ୍ବେବ୍‌ସାଇଟରେ ଶନିବାର ସନ୍ଧ୍ୟା ସୁଦ୍ଧା ଅପ୍‌ଲୋଡ୍‌ କରିବା ଲାଗି ବିଚାରପତି ଏଲ୍‌.ଏନ୍‌. ରାଓ ଏବଂ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଅନାଥ ଶିଶୁଙ୍କୁ ଚିହ୍ନଟ କରି ସହାୟତା ଯୋଗାଇବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେବା ଲାଗି ଆମିକସ୍‌ କ୍ୟୁରି ଗୌରବ ଅଗ୍ରଓ୍ବାଲ୍‌ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଅନାଥ ଶିଶୁମାନଙ୍କର ସ୍ଥିତି କ’ଣ ଏବଂ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇବା ଲାଗି ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି, ତାହା ରାଜ୍ୟ ସରକାର ଜଣାଇବାକୁ ଖଣ୍ଡପୀଠ କହିଛନ୍ତି।
ମହାରାଷ୍ଟ୍ରରେ ୨,୯୦୦ରୁ ଊର୍ଦ୍ଧ୍ୱ ଶିଶୁ ମହାମାରୀରେ ସେମାନଙ୍କ ମାଆ କିମ୍ବା ବାପା ଅଥବା ଉଭୟଙ୍କୁ ହରାଇଛନ୍ତି। ତେବେ ଦେଶରେ ପ୍ରକୃତରେ କେତେ ଶିଶୁ ଅନାଥ ହୋଇଛନ୍ତି, ତା’ର ପ୍ରକୃତ ସଂଖ୍ୟା କାହା ପାଖରେ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। କାରୋନାରେ ମାଆବାପାଙ୍କୁ ହରାଇଥିବା ପିଲାମାନଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି କେନ୍ଦ୍ର ସରକାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆଡଭାଇଜରି ଜାରି କରିଥିଲେ। ଏଭଳି ପିଲାମାନଙ୍କୁ ଚିହ୍ନଟ କରି ସହାୟତା ଯୋଗାଇଦେବା କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ବୋଲି ବାଳ ଅପରାଧ ଆଇନର ବିଭିନ୍ନ ଧାରାର ଉଦାହରଣ ଦେଇ ଖଣ୍ଡପୀଠ କହିଥିଲେ।

Share