ତରବୋଡ଼,୩।୧(ଡି.ଏନ.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡା ପଞ୍ଚାୟତ କୋକପଦର ଗ୍ରାମ ଜଙ୍ଗଲ ନିକଟରେ ରୁହନ୍ତି କାହ୍ନୁ ମାଝୀ(୫୦)। ସ୍ତ୍ରୀ ବାସନ୍ତି ମାଝୀ(୪୫) ଓ ପୁଅ ଗୋସିଙ୍ଗ ମାଝୀ(୧୧)ଙ୍କୁ ନେଇ ତାଙ୍କ ପରିବାର। ସେମାନେ ଗରିବ ଶ୍ରେଣୀର। କାହ୍ନୁଙ୍କ ସ୍ତ୍ରୀ ଜଣେ ମାନସିକ ରୋଗୀ। ପାହାଡ ତଳେ ଜମିବାଡି କିଛି ରହିଛି। ସେଥିରୁ ଯାହା ମିଳେ ତାହା ପରିବାର ଚଳିବା ପାଇଁ ଯଥେଷ୍ଟ ନୁହେଁ। ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ ମଧ୍ୟ ଏହି ପରିବାରକୁ ଏଯାଏ କୌଣସି ସରକାରୀ ସୁବିଧା ମିଳିନାହିଁ। ଏହି ପରିବାରର କେବଳ ଖାଉଟି କାର୍ଡ ଖଣ୍ଡେ ଅଛି ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ନାହିଁ। ଫଳରେ ସେମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ବର୍ଷାଦିନେ ଚାଳ ଉପରେ ପଲିଥିନ ଢାଙ୍କି ରହୁଛନ୍ତି । ଅନ୍ୟଦିନେ ଖୋଲା ଆକାଶ ତଳେ ସେମାନଙ୍କ ଜୀବନ ବିତୁଛି । ସେହିପରି ଏଠାକୁ ପାନୀୟ ଜଳ ସୁବିଧା ନ ଥିବାରୁ ଏକ ମାଟେ ଚୂଆଁ ଖୋଳି ସେଥିରୁ ପାନୀୟ ଜଳ ସଂଗ୍ରହ କରି ବ୍ୟବହାର କରୁଛନ୍ତି । ଜିଲା ପ୍ରଶାସନ ଏହି ପରିବାରକୁ ସରକାରୀ ଯୋଜନାରେ ସାମିଲ କରିବାକୁ ଦାବି ହେଉଛି ।