ଦେଶରେ କ୍ରମବର୍ଦ୍ଧିଷ୍ଣୁ କୃଷି ସଙ୍କଟ ଓ ଚାଷୀ ଅସନ୍ତୋଷକୁ ଦୃଷ୍ଟିରେ ରଖି ଚଳିତ (୨୦୨୩-୨୦୨୪)ବଜେଟରେ କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରେ ବୋଲି କହୁଥିଲେ ଅନେକ ଅର୍ଥନୀତି ବିଶାରଦ। ମାତ୍ର ସେମାନଙ୍କ ଆକଳନକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛି ସରକାରଙ୍କ ଚଳିତ କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ। ଏହି ବଜେଟକୁ କିଏ ଅମୃତକାଳର ଐତିହାସିକ ବଜେଟ କହୁଛି ତ ଆଉ କିଏ କହୁଛି ସଶକ୍ତ ଓ ସମାବେଶୀ ଅର୍ଥନୀତିର ନକ୍ସା। ମାତ୍ର ସେମାନେ ବୋଧହୁଏ ଭୁଲି ଯାଉଛନ୍ତି ଯେ ଦେଶର ସର୍ବାଧିକ ଲୋକ ନିର୍ଭର କରୁଥିବା କୃଷିକ୍ଷେତ୍ରଟି ଏଥିରେ ଅବହେଳିତ ଓ ଉପେକ୍ଷିତ।
ଦେଶରେ କ୍ରମାଗତ ବଢୁଥିବା ଚାଷୀ ଅସନ୍ତୋଷକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ କିଷାନନିଧି ଯୋଜନା। କୃଷକର ଆୟ ବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଏହି ଯୋଜନା ମାଧ୍ୟମରେ ପ୍ରତିବର୍ଷ ପ୍ରତ୍ୟେକ ଚାଷୀର ବ୍ୟାଙ୍କ ଆକାଉଣ୍ଟକୁ ଯାଉଥିଲା ୬ ହଜାର ଟଙ୍କା। ବିଗତ ବର୍ଷ ବଜେଟରେ(୨୦୨୨-୨୩) ଏ ଯୋଜନା ବାବଦ ୬୮ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା ବେଳେ ଚଳିତ ବର୍ଷ ୬୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି, ଯାହା ପୂର୍ବବର୍ଷଠାରୁ ୮ ହଜାର କୋଟି ଟଙ୍କା କମ୍। ଏଥିସହିତ ହ୍ରାସ ପାଇଛି କୃଷିକ୍ଷେତ୍ରକୁ ରାସାୟନିକ ସାର ରିହାତି ବାବଦକୁ ମିଳୁଥିବା ଅର୍ଥ ପରିମାଣ। ଗତବର୍ଷ ବଜେଟରେ ଏ ବାବଦରେ ୨୨୫ ହଜାର କୋଟି ଟଙ୍କାର ପ୍ରାବଧାନ ଥିଲାବେଳେ ଏଥର ତାହା ୧୭୫ ହଜାର କୋଟି ଟଙ୍କାରେ ସୀମିତ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବି ହ୍ରାସ ପାଇଛି ଅନୁଦାନ ରାଶି। ବିଡ଼ମ୍ବନାର ବିଷୟ ହେଉଛି, ଅର୍ଥମନ୍ତ୍ରୀଙ୍କ ବଜେଟରେ ସ୍ଥାନ ପାଇନାହିଁ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ।
ବହୁଚର୍ଚ୍ଚିତ ସ୍ବାମୀନାଥନ୍ କମିଟି ସୁପାରିସ ଆଧାରରେ ଧାନ ଓ ଗହମ ଆଦି ଶସ୍ୟର ମୂଲ୍ୟବୃଦ୍ଧି କରାଯିବ ବୋଲି କହି ୨୦୧୪ରେ କ୍ଷମତାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କର ଘୋଷଣା ଥିଲା, ୨୦୨୨ ସୁଦ୍ଧା ଦୁଇଗୁଣା ହେବ ଚାଷୀର ଆୟ। ଦୁର୍ଭାଗ୍ୟର ବିଷୟ ଅବଧି ଅତିକ୍ରାନ୍ତ ହେଲା ପରେ ବି ଚାଷୀର ଭାଗ୍ୟ ଚାପିହୋଇ ରହିଛି ସେହି ପଥର ତଳେ। ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ବେ ଚାଷୀର ଆୟ ଦୁଇଗୁଣା ହେଲାନାହିଁ କି ତାକୁ ମିଳିଲାନି ସ୍ବାମୀନାଥନ କମିଟି ସୁପାରିସ ଆଧାରରେ ଶସ୍ୟର ସହାୟକ ମୂଲ୍ୟ।
ଅର୍ଥନୀତି ବିଶାରଦ ଚାଣକ୍ୟ କହିଥିଲେ, ଅର୍ଥନୀତିରେ ସନ୍ତୁଳନ ପାଇଁ ଭରଣେ ଧାନର ମୂଲ୍ୟ ସହିତ ଭରିଏ ସୁନାର ମୂଲ୍ୟ ସମାନ ହେବା ଦରକାର। ମାତ୍ର ଚାଷୀ ଏବେ ଯେଉଁ ଦରରେ ଧାନ ବିକୁଛି, ସେହି ହିସାବରେ ବୋଧହୁଏ ଭରିଏ ସୁନା କିଣିବା ପାଇଁ ଊଣା ପଡ଼ିବ ୧୦ ଭରଣ (ପାଖାପାଖି ୩୫ କୁଇଣ୍ଟାଲ) ଧାନର ମୂଲ୍ୟ। ଗଣମାଧ୍ୟମରେ ପ୍ରକାଶିତ ଏକ ତୁଳନାତ୍ମକ ଅଧ୍ୟୟନ ତଥ୍ୟରୁ ଜଣାଯାଏ ୧୯୭୦ରେ ଧାନର ମୂଲ୍ୟ ଥିଲା କୁଇଣ୍ଟାଲ ପ୍ରତି ୭୪ ଟଙ୍କା, ଯାହା ବର୍ତ୍ତମାନର ଦରଠାରୁ ପ୍ରାୟତଃ ୨୮ ଗୁଣ କମ୍। ଅର୍ଥାତ ବିଗତ ୫୨ବର୍ଷ ମଧ୍ୟରେ ଧାନର ସହାୟକ ମୂଲ୍ୟରେ ବୃଦ୍ଧି ହୋଇଛି ୨୮ଗୁଣ। ଏହି ସମୟସୀମା ମଧ୍ୟରେ କିନ୍ତୁ ସରକାରୀ କର୍ମଚାରୀଙ୍କ ଦରମା ବଢ଼ିଛି ୧୨୦ଗୁଣରୁ ବେଶି। ତା’ ଠାରୁ ଢେର ଅଧିକ ଗୁଣ ବଢ଼ିଛି ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଦରମା। କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର, ସମସ୍ତେ କହନ୍ତି- ‘ଚାଷୀକୁଳ ଆମର ବଳ’। ହେଲେ ଚାଷୀର ଆୟ ବଢୁ ବୋଲି ଚାହୁଁନାହାନ୍ତି କୌଣସି ସରକାର। ସମସ୍ତେ କେବଳ ଚାଷୀର ଭାବାବେଗକୁ ନେଇ ପେଣ୍ଡୁ ଖେଳନ୍ତି ରାଜନୀତି ମଇଦାନରେ।
ଆମ କୃଷି ସଂସ୍କୃତି ସ୍ବର୍ଣ୍ଣିମ ଇତିହାସ କହେ ଏକଦା ଏଠି ଚାଷ ଥିଲା ଏକ ଲାଭଦାୟକ ଓ ସମ୍ମାନଜନକ ବୃତ୍ତି। ପରିସ୍ଥିତି ଏମିତି ବଦଳିଗଲା ଯେ ଏବେ ଚାଷ ଉପରେ ନିିର୍ଭର କରି ବଞ୍ଚୁଥିବା ଲୋକଟି ଏଠି ଗରିବ ଓ ଅବହେଳିତ। ତଥ୍ୟ କହେ ରାଜ୍ୟରେ ଦାରିଦ୍ର୍ୟ ସୀମରେଖା ତଳେ ଥିବା ସମୁଦାୟ ଜନସଂଖ୍ୟା ଭିତରୁ ୭୦ ଭାଗ ହେଉଛନ୍ତି ଚାଷୀ ପରିବାରର ଲୋକ। ଆଗେ ବଢ଼ି ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟ ଥିଲା ଧାନ ଅମଳର ପ୍ରଧାନ ଶତ୍ରୁ। ଏବେ ତାକୁ ବଳିଗଲା ସରକାରୀ ଅବହେଳା, ଅଣଦେଖା, ଶୋଷଣ ଓ ପ୍ରତାରଣା।
୨୦୧୭ ରେ ଓଡ଼ିଶା ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା ହେବା ଉଚିତ ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଲା ଏବଂ ସେହି ଅନୁସାରେ ପାରିତ ହେଲା ସଂକଳ୍ପ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପାଇଁ ଏକ ଗୃହକମିଟି ବି ଗଠନ ହୋଇଥିଲା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ। ତା’ ପରେ ବୋଧହୁଏ ସଂକଳ୍ପଟିକୁ ଶୀତଳଭଣ୍ଡାରକୁ ଠେଲିଦେଇ ମୁଣ୍ଡରୁ ଦାୟିତ୍ୱ ଖସେଇଦେଲେ ରାଜ୍ୟ ସରକାର। କହିବାର ତାତ୍ପର୍ଯ୍ୟ ୨୦୧୭ ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟତଃ ତିନିଗୁଣା ବଢ଼ିଛି ରାସାୟନିକ ସାର, କୀଟନାଶକ ଓ କୃଷି ଯନ୍ତ୍ରପାତିର ଦର। ସେହି ଅନୁସାରେ ୨୦୧୭ରେ ପ୍ରସ୍ତାବିତ ସହାୟକ ମୂଲ୍ୟରେ ବୃଦ୍ଧି ଘଟିବା ସ୍ବାଭାବିକ। ଦୁର୍ଭାଗ୍ୟବଶତଃ କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ସହାୟକ ମୂଲ୍ୟ ଏବେ ୨୦୪୦ ଟଙ୍କାରେ ସୀମିତ। ଏହି ଦୃଷ୍ଟିରୁ କୁଇଣ୍ଟାଲ ପିଛା ଅନୂ୍ୟନ (୨୯୩୦-୨୦୪୦) ୮୯୦ଟଙ୍କା କ୍ଷତି ସହୁଛି ଚାଷୀ।
କ୍ଷତିର ଆଉ ଏକ ଦିଗ ହେଉଛି ଆମ ମଣ୍ଡି ବ୍ୟବସ୍ଥା। କାରଣ ଓଡ଼ିଶାର ମଣ୍ଡିଗୁଡିକ ଗୋଟିଏ ଗୋଟିଏ ଏକଚାଟିଆ ସଂଗ୍ରହ କେନ୍ଦ୍ର, ଯେଉଁଠି କମିଶନ ଏଜେଣ୍ଟ ଓ ଦଲାଲମାନଙ୍କର ଦୌରାତ୍ମ୍ୟରେ ବାର ହୀନସ୍ତା ହୁଏ ଚାଷୀ। ଧାନ କିଣିବାଠାରୁ ଚାଷୀ ଖାତାକୁ ପଇସା ଆସିବା ପର୍ଯ୍ୟନ୍ତ ସବୁକଥାରେ ବିଳମ୍ବିତ ପ୍ରକ୍ରିୟା ମଧ୍ୟ ତା’ର ଏକ ଅଲିଖିତ ବ୍ୟବସ୍ଥା। କଟ୍ନି ଛଟ୍ନି ନ କରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କଲେ ବି ତା’ ଉପରେ ଲାଗିପାରେନି ରୋକ। ଏଠି ବିନା ମଧ୍ୟସ୍ଥରେ କିଛି ହୁଏନି କି କେହି ଧାନ ବିକ୍ରି କରିପାରେନି ନିର୍ଦ୍ଧାରିତ ଦରରେ। ଟଙ୍କା ଚାଷୀର ବ୍ୟାଙ୍କ ଖାତା ଜରିଆରେ ଆସେ ସତ, ହେଲେ ତାହା ହିସାବକିତାବ ହୁଏ ପୂର୍ବରୁ ସରିଥିବା ମୂଲଚାଲ ଅନୁସାରେ। ସେହି ହିସାବରେ ୨୦୪୦ ଟଙ୍କାରୁ ଚାଷୀ ପାଉଛି ମାତ୍ର ୧୭୦୦ଟଙ୍କା ବା ତା’ଠାରୁ କମ୍। ଅବଶିଷ୍ଟ ୩୪୦ ଟଙ୍କା କେଉଁ ବାବଦରେ କାହା ପକେଟକୁ ଯାଉଛି ତାହା କେବଳ ସେମାନଙ୍କୁ ଜଣା। ଏଭଳି ମନମାନି ଯୋଗୁ ମଣ୍ଡିକୁ ଆସିବାକୁ ଚାହୁଁନାହାନ୍ତି ଅନେକ ଚାଷୀ। ଖବରକାଗଜରେ ପ୍ରକାଶିତ ଏକ ଆକଳନରୁ ଜଣାଯାଏ, ଓଡ଼ିଶାର ୨୦ ଭାଗ ଚାଷୀ ମଣ୍ଡିରେ ଧାନ ବିକୁଥିବା ବେଳେ ଅବଶିଷ୍ଟ ୮୦ ଭାଗ ଚାଷୀଙ୍କ ଧାନ ବେପାରୀ କଣିନେଉଛନ୍ତି ଶାଗମାଛ ଦରରେ।
ଚାଷୀର ଆୟ ବୃଦ୍ଧି ନିମନ୍ତେ ତା’ ଜମାଖାତାକୁ ସିଧାସଳଖ କିଷାନ ନିଧି ଓ କାଳିଆ ଯୋଜନା ଜରିଆରେ ଟଙ୍କା ପଠାଉଛନ୍ତି ବୋଲି କହି ନିଜ ଢୋଲ ନିଜେ ପିଟୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ମାତ୍ର ଏ ଉଭୟ ଯୋଜନାରେ ଚାଷୀ ଯେତିକି ପାଉଛି, ମଣ୍ଡିରେ ସେ ଠକିହେଉଛି ତା’ ଠାରୁ ଢେର ବେଶି। ଦୃଷ୍ଟାନ୍ତ ସ୍ବରୂପ ଦୁଇ ଏକର ଜମିଥିବା ଜଣେ ଅତି କ୍ଷୁଦ୍ରଚାଷୀ ଯଦି ମଣ୍ଡିରେ (୨୦X୨)୪୦ କୁଇଣ୍ଟାଲ ଧାନ ବିକ୍ରିକରୁଛି,ତେବେ ତା’ର ପ୍ରାପ୍ୟ (୨୦୪୦X୪୦) ୮୧,୬୦୦ଟଙ୍କା ହୋଇଥିବା ବେଳେ ସେ ପାଉଛି (୧୭୦୦X୪୦)୬୮,୦୦୦ଟଙ୍କା। ଅର୍ଥାତ ଅଭାବୀ ବିକ୍ରି କାରଣରୁ ଚାଷୀଟି ହରେଇଲା (୮୧,୬୦୦-୬୮,୦୦୦) ୧୩,୬୦୦ଟଙ୍କା। ଅନ୍ୟପକ୍ଷରେ ଉଭୟ କିଷାନନିଧି ଓ କାଳିଆ ଯୋଜନା ମାଧ୍ୟମରେ ତା’ ଖାତାକୁ ଆସିଲା(୬୦୦୦+୪୦୦୦) ୧୦,୦୦୦ଟଙ୍କା। ଅତଏବ ସରକାରୀ ସହାୟତା ପାଇଲା ପରେ ବି ଜଣେ ଦୁଇ ଏକର ଜମିଥିବା ଚାଷୀକୁ ସହିବାକୁ ପଡୁଛି(୧୩,୬୦୦-୧୦,୦୦୦) ୩,୬୦୦ ଟଙ୍କା କ୍ଷତି। ଏହି ହିସାବରେ ଜଣେ ପାଞ୍ଚ ଏକର ଜମିଥିବା ଚାଷୀକୁ ଯଦି ୨୪,୦୦୦ଟଙ୍କା କ୍ଷତି ସହିବାକୁ ପଡ଼େ କେମିତି ବଢ଼ିବ ଚାଷୀର ଆୟ। ମନେ ରଖିବାକୁ ହେବ ଯେ ଚାଷୀକୁ ତା’ ଶସ୍ୟର ଉପଯୁକ୍ତ ମୂଲ୍ୟ ନ ଦେଇ କୃଷିନୀତି, କୃଷି କ୍ୟାବିନେଟ ଓ କୃଷି ବଜେଟ ଆଦି ଯେତେ ଯାହା ବ୍ୟବସ୍ଥା କଲେ ବି କେବେ ସୁଧୁରିବ ନାହିଁ ଚାଷୀର ଆର୍ଥିକ ସ୍ଥିତି।