‘ପଲିଥିନ୍‌ ତଳେ ଅସହାୟ ଜାନକୀ’

ହାଟଡ଼ିହୀ,୨୪ା୩(ପାର୍ଥ ସୌରଭ ସା):ତିନିବର୍ଷ ହେଲା ସ୍ବାମୀଙ୍କ ମୃତ୍ୟୁ ଘଟିଛି। ପୁଅ ରୋଜଗାର ପାଇଁ ବାହାରକୁ ଯାଇ ଆଉ ଘରକୁ ଆସୁନି। ମରାମତି ଅଭାବରୁ ଘର ଭାଙ୍ଗି ମାଟିରେ ମିଶିଯାଇଛି। ଚାଷଜମି କି ରୋଜଗାର ମାଧ୍ୟମ ନ ଥିବାରୁ ଦୟନୀୟ ଅବସ୍ଥାରେ ଏକ ପଲିଥିନି ତଳେ କାଳାତିପାତ କରୁଛନ୍ତି କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଶାଳଣିଆଁ ଗ୍ରାମର ବିଧବା ମହିଳା ଜାନକୀ ରଣା।
ଜାନକୀଙ୍କ ପରିବାର କହିଲେ ଦୁଇଝିଅ, ଗୋଟିଏ ପୁଅ ଓ ସ୍ବାମୀଙ୍କୁ ନେଇ ସୁରୁଖୁରୁରେ ଚାଲିଥିଲା। ୨ ଝିଅଙ୍କୁ ବିବାହ କରାଇଦେବା ପରେ ପୁଅ କାମ ପାଇଁ ବିଦେଶ ଚାଲିଗଲେ। ସ୍ବାମୀ ଜଟାଧାରୀ ଗତ କରୋନା ସମୟରେ ମୃତ୍ୟୁବରଣ କରିଥିଲେ। ବାପାଙ୍କ ମୃତ୍ୟୁ ଖବର ପାଇ ବି ପୁଅ ଆସିଲାନେ। ଗାଁ ଲୋକଙ୍କ ସହଯୋଗରେ ଶବ ସତ୍କାର ସହିତ ଶୁଦ୍ଧିକ୍ରିୟା କାର୍ଯ୍ୟ ହେଲା। ଏବେ ଘରେ ଜାନକୀ ଏକା ରହୁଥିବା ବେଳେ ସରକାରଙ୍କ ତରଫରୁ ମିଳୁଥିବା ୫ କିଲୋ ଚାଉଳ ହିଁ ତାଙ୍କର ସାହା ଭରଷା। ରହୁଥିବା ମାଟିଘରଟି ଛପର କରି ନ ପାରିବାରୁ ଭାଙ୍ଗି ନଷ୍ଟ ହୋଇଯାଇଛି। ପଲିଥିନି ଟିଏ ଟାଙ୍ଗି ତା ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ଜାନକୀ। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା। ତତ୍କାଳୀନ ଉପ ଜିଲାପାଳ ଅନୀଲ ସେଠୀ ତୁରନ୍ତ ଜାନକୀଙ୍କୁ ଭତ୍ତା ଦେବା ସହ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ବ୍ଲକ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତତ୍କାଳୀନ ବିଡିଓ ଜାନକୀଙ୍କୁ ବାସଗୃହ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ବି କିଛି ସୁଫଳ ମିଳିଲାନାହିଁ। ଇତି ମଧ୍ୟରେ ହାଟଡିହୀ ବ୍ଲକ୍‌ରେ ଆବାସ ଯୋଜନା ଘର ବଣ୍ଟନ କରାଯାଇଥିବାବେଳେ ଜାନକୀଙ୍କ ନାମ ତାଲିକାରେ ନାହିଁ। ଗତ ୨ ଦିନ ତଳେ କାଳବୈଶାଖୀରେ ତାଙ୍କ ଭଙ୍ଗା ଘରର କାନ୍ଥ ଭାଙ୍ଗି ପଡ଼ିଥିବାବେଳେ ଅନେକ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ଭଙ୍ଗା ଘର କାନ୍ଥକୁ ଲାଗି ପଲିଥିନୀ ଟାଣି ଜାନକୀ ଜୀବନ ବିତାଉଥିବାବେଳେ ଅଳ୍ପକେ ସେଦିନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଗ୍ରାମବାସୀ କହିଛନ୍ତି। ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଏହି ବିଧବା ଜାନକୀଙ୍କ ରହିବାପାଇଁ ବାସଗୃହଟିଏ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।