Categories: ଜାତୀୟ

ଇଡି ସମନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ହେମନ୍ତ ସୋରେନ୍‌

ନୂଆଦିଲ୍ଲୀ,୧୮ା୯ : ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସମନ ପ୍ରତ୍ୟାହାର ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୋରେନ୍‌ ଗତ ମାସରେ ଇଡିକୁ କହିଥିଲେ। ସୋମବାର ସର୍ବୋଚ୍ଚ ଅଦାଲତ ତାଙ୍କ ପିଟିଶନ୍‌ର ଶୁଣାଣି କରିବେ। ସେପ୍ଟେମ୍ବର ୨୩ରେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବାକୁ ସୋରେନ୍‌ଙ୍କୁ ସମନ କରାଯାଇଥିଲା।

ଯେଉଁ ବିରୋଧୀ ନେତାମାନେ କେନ୍ଦ୍ର ସରକାରଙ୍କ ବୋଲ ମାନୁନାହାନ୍ତି ତାଙ୍କୁ ଟାର୍ଗେଟ କରିବା ପାଇଁ ଇଡି ଭଳି ସଂଘୀୟ ତଦନ୍ତକାରୀ ସଂସ୍ଥାର ଅବବ୍ୟବହାର କରାଯାଉଥିବା ଜେଏମ୍‌ଏମ୍‌ ନେତା ଅଭିଯୋଗ କରିଛନ୍ତି। ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲାରେ ବେଆଇନ ଖଣି ମାମଲାରେ ସମ୍ପୃକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମନିଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଛି ଇଡି।

ଖଣି ବିଭାଗ ଦାୟିତ୍ୱରେ ଥିବା ସୋରେନ୍‌ ନିର୍ବାଚନ ନିୟମାବଳୀର ଉଲ୍ଲଂଘନ କରି ୨୦୨୧ରେ ନିଜ ନାଁରେ ଏକ ଖଣି ଲିଜ୍‌ ନେଇଥିଲେ। ଅନ୍ୟ ପକ୍ଷରେ ସେ କୌଣସି ଭୁଲ୍‌ କରିନାହାନ୍ତି ବୋଲି କହିବା ସହ ଇଡି ତଦନ୍ତ ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରିଛନ୍ତି।

 

Share