Categories: ଜାତୀୟ

ଚମ୍ପାଇଙ୍କ ପାଇଁ ନିଜ ଭାଇଙ୍କୁ ଛାଡିଦେଲେ ହେମନ୍ତ ସୋରେନ, ବରିଷ୍ଠ କଂଗ୍ରେସ ନେତାଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୭।୮: ଝାଡଖଣ୍ଡ ରାଜନୀତିରେ ପୁଣି ଥରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆଜି ପୁଣି ଭାଜପାରେ ସାମିଲ୍‌ ହେବା ନେଇ ସହମତି ପ୍ରକାଶ କରିଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚମ୍ପାଇ ଏବେ ଭାଜପା ଜାଲରେ ଫସି ସାରିଛନ୍ତି। ତାଙ୍କର କହିବା ଅନୁସାରେ ତାଙ୍କୁ ଅପମାନ କରାଯାଇଛି କିନ୍ତୁ ହେମନ୍ତ ସୋରେନ ତାଙ୍କୁ ଦଳରେ ସବୁଠାରୁ ଗୁରୁତ୍ୱ ଦେଇଛନ୍ତି। ଆଉ ଯେଉଁ ଶିଖରରେ ସେ ପହଞ୍ଚିଛନ୍ତି ତାହା ତାଙ୍କ ପାଇଁ ସ୍ବପ୍ନ ସଦୃଶ ହେବ।

ବରିଷ୍ଠ କଂଗ୍ରେସ ନେତା ରାଜେଶ ଠାକୁର କହିଛନ୍ତି, ଚମ୍ପାଇ ସୋରେନଙ୍କୁ ପୁଣିଥରେ ମନ୍ତ୍ରୀ କରାଯାଇଥିଲା। ହେମନ୍ତ, ଚମ୍ପାଇଙ୍କୁ ସାମିଲ୍‌ କରିବା ପାଇଁ ନିଜ ଭାଇ ବସନ୍ତ ସୋରେନଙ୍କୁ ପଦ ଦେଇ ନ ଥିଲେ। ହେଲେ ଚମ୍ପାଇ ବେଇମାନ କରିଛନ୍ତି। ସେ ସେଥିପାଇଁ ଦେଶଦ୍ରୋହୀ।

ଚମ୍ପାଇ ସୋରେନଙ୍କୁ ନେଇ ବହୁତ ଦିନ ଧରି ଅନୁମାନ କରାଯାଉଥିଲା କି, ସେ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। କିନ୍ତୁ ମଙ୍ଗଳବାର ସେ ସ୍ପଷ୍ଟ କରିଛନ୍ତି କି, ସେ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଭାଜପାରେ ଯୋଗଦେବାକୁ ଯାଉଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି। ମୁଁ ଭାଜପାରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି।

ଚମ୍ପାଇ ଆହୁରି କହିଛନ୍ତି , ମୁଁ ଅବସର ନେବାକୁ ଚିନ୍ତା କରୁଥିଲି, କିନ୍ତୁ ଜନସାଧାରଣଙ୍କ ଚାହିଦା ହେତୁ ମୁଁ ରାଜନୀତିରେ ଅଛି। ନିଜର ସଂଗଠନ ତିଆରି ପାଇଁ ସମୟ ଲାଗିଥାଏ।
ଚମ୍ପାଇଙ୍କ ଭାଜପାରେ ସାମିଲ ହେବା ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ଏଥି ସହିତ ଚମ୍ପାଇ ସୋରେନଙ୍କୁ ଏକ ବଡ ଆଦିବାସୀ ନେତା ଭାବରେ ଦଳରେ ସାମିଲ କରିବାକୁ ଭାଜପା ଉତ୍ସାହିତ ଅଛି।

ପ୍ରାୟ ଏକ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚମ୍ପାଇ ସୋରେନ ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଥିଲେ। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।
ବୈଠକ ସମୟର ଏକ ଫଟୋ ଶେୟାର କରି ହିମନ୍ତ କହିଥିଲେ, ଆମ ଦେଶର ଭେଟେରାନ ଆଦିବାସୀ ନେତା ଚମ୍ପାଇ ସୋରେନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜୀଙ୍କୁ କିଛି ସମୟ ପୂର୍ବରୁ ଭେଟିଥିଲେ। ସେ ଅଗଷ୍ଟ ୩୦ରେ ରାଞ୍ଚିରେ ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗଦେବେ ବୋଲି କୁହାଯାଉଛି।

Share