Categories: ଜାତୀୟ

ଇଡିକୁ ଚେତାବନୀ ଦେଲେ ହେମନ୍ତ ସୋରେନ

ରାଞ୍ଚି,୧୬।୮: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଇଡିକୁ ଚେତାବନୀ ଦେଇଛନ୍ତି। ଝାଡଖଣ୍ଡର ରାଞ୍ଚିରେ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ ଜାରି କରିଥିଲା। ଗତ ସୋମବାର ତାଙ୍କୁ ତଦନ୍ତକାରୀ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିବାର ଥିଲା। କିନ୍ତୁ ସେ ଇଡି କାର୍ଯ୍ୟାଳୟରେ ହାଜର ହେବା ପରିବର୍ତ୍ତେ ସେ ଏକ ଚିଠି ପଠାଇଥିଲେ। ଏଥିରେ ହେମନ୍ତ ସମନ ପ୍ରତ୍ୟାହାର କରିବାକୁ ଇଡିଙ୍କୁ କହିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ, ଯଦି ସମନ ପ୍ରତ୍ୟାହାର ନ ହୁଏ ତେବେ ସେ ଆଇନଗତ ଲଢେଇ କରିବେ। ରାଜନୀତିରେ ଅନୁପ୍ରାଣିତ ହୋଇ ଇଡି ସମନ ପଠାଇଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।
ଇଡି ଏବଂ ସେମାନଙ୍କର ରାଜନୈତିକ ଗୁରୁମାନେ ଜାଣନ୍ତି ଯେ, ମୁଖ୍ୟମନ୍ତ୍ରୀ ହୋଇ ସେ ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଯିବେ। ଏହାର ପ୍ରସ୍ତୁତି ଏକ ସପ୍ତାହ ପୂର୍ବରୁ ଆରମ୍ଭ ହେବ। ଅନେକ ସଭା ହେବ। ଅଗଷ୍ଟ ୧୪ ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଦିନ ଜାଣିଶୁଣି ଇଡିରେ ହାଜର ହେବାକୁ ସମନ ପଠାଇବା ଷଡଯନ୍ତ୍ରର ଅଂଶ।
ସୂଚନାଯୋଗ୍ୟ, ଇଡି ୮ ଅଗଷ୍ଟରେ ହେମନ୍ତଙ୍କୁ ସମନ ଜାରି କରିଥିଲେ। ଇଡିର ସହକାରୀ ନିର୍ଦ୍ଦେଶକଙ୍କୁ ପଠାଯାଇଥିବା ଚିଠିରେ ହେମନ୍ତ ଏହି ସମନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ହେମନ୍ତଙ୍କୁ ବେଆଇନ ଖଣି ଖନନ ମାମଲାରେ ପଚରାଉଚରା ପାଇଁ ପ୍ରଥମେ ୧୭ ନଭେମ୍ବର ୨୦୨୨ରେ ଇଡି ତାଙ୍କୁ ଡକାଇଥିଲା।

Share