Categories: ଜାତୀୟ

ଏହିଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ, କ୍ୟାବିନେଟରେ ସାମିଲ ହୋଇପାରନ୍ତି ନୂଆ ଚେହେରା

ଝାଡଖଣ୍ଡ,୪।୭: ପୁଣି ମଇଦାନକୁ ଫେରିଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହାପରେ ଆସନ୍ତା ଜୁଲାଇ ୭ରେ ସେ ଶପଥ ଗ୍ରହଣ କରିବେ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସହ ସାରା ରାଜ୍ୟ ଏବେ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ହେମନ୍ତଙ୍କ ସହ ତାଙ୍କର ସମସ୍ତ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ତେବେ କୁହାଯାଉଛି ଯେ, ହେମନ୍ତଙ୍କ କ୍ୟାବିନେଟରେ କିଛି ନୂଆ ଚେହେରା ସାମିଲ ହୋଇପାରନ୍ତି।

ବୁଧବାର ଚମ୍ପାଇ ସୋରେନ ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି। ଏହାସହ ହେମନ୍ତ ସୋରେନ ସରକାର ଗଠନ ପାଇଁ ଦାବି କରିଛନ୍ତି। ସେ ଜୁଲାଇ ୭ରେ CM ଭାବରେ ଶପଥ ଗ୍ରହଣ କରିବେ। ଗତକାଲି ଜେଏମଏମ ନେତୃତ୍ୱାଧୀନ ମେଣ୍ଟର ନେତାମାନେ ସର୍ବସମ୍ମତି କ୍ରମେ ତାଙ୍କୁ ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଛନ୍ତି।

ଜୁଲାଇ ୭ରେ ଶପଥ ନେବା ପରେ ହେମନ୍ତ ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ହେବେ। ୨୦୦୦ ମସିହା ନଭେମ୍ବର ୧୫ରେ ବିହାରରୁ ଅଲଗା ହୋଇ ଝାଡଖଣ୍ଡ ଗଠନ କରାଯାଇଥିଲା। ସେବେଠାରୁ ଏବେ ଯାଏଁ ୧୨ଜଣ ସିଏମ ହୋଇଛନ୍ତି। ତେବେ ହେମନ୍ତଙ୍କ ନୂଆ ସରକାରରେ ଝାଡଖଣ୍ଡରେ ୧୨ଜଣ ମନ୍ତ୍ରୀ ହୋଇଇପାରନ୍ତି। କିନ୍ତୁ ବର୍ତ୍ତମାନ ରାଜ୍ୟ କ୍ୟାବିନେଟରେ ୧୦ଜଣ ମନ୍ତ୍ରୀ ଅଛନ୍ତି। କହିରଖୁଛୁ କି, ଲୋକ ସଭା ନିର୍ବାଚନ ପରେ ରାଜ୍ୟରେ ଜେଏମଏମ ନେତୃତ୍ୱାଧୀନ ମେଣ୍ଟର କେବଳ ୪୫ଜଣ ବିଧାୟକ ରହିଛନ୍ତି। ଜେଏମଏମରୁ ୨୭ ଜଣ ବିଧାୟକ, କଂଗ୍ରେସରୁ ୧୭ ଜଣ ଏବଂ ଆରଜେଡିରୁ ଜଣେ ଅଛନ୍ତି।

Share