Categories: ଖେଳ

ଫ୍ରାନ୍ସ ଫୁଟବଲ ଦଳରେ ହେନରୀ

ପ୍ୟାରିସ୍‌,୨୦।୧୧(ଏପି): ମହିଳା ମିଡ୍‌ଫିଲ୍ଡର ଆମାଣ୍ଡିନ୍‌ ହେନରୀଙ୍କୁ ଫ୍ରାନ୍ସ ଫୁଟବଲ ଦଳରେ ସାମିଲ କରାଯାଇଛି। କଡ଼ା ସମାଲୋଚନା ସତ୍ତ୍ୱେ କୋଚ୍‌ କୋରିନ ଡିଆକ୍ରେ ତାଙ୍କୁ ଗୁରୁବାର ଦଳରେ ନେଇଛନ୍ତି। ଗତ ମାସ ଅନୁଷ୍ଠିତ ଦୁଇଟି ୟୁରୋପିଆନ ଚାମ୍ପିୟନଶିପ୍‌ କ୍ୱାଲିଫାଇଂ ମ୍ୟାଚ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଥିଲା। ଏବେ ସେ ପୁଣି ଥରେ ଫ୍ରାନ୍ସର ଅଧିନାୟକ ଭାବେ ନଭେମ୍ବର ୨୭ ଓ ଡିସେମ୍ବର ୧ରେ ଯଥାକ୍ରମେ ଖେଳାଯିବାକୁ ଥିବା ଅଷ୍ଟ୍ରିଆ ଓ କାଜାଖସ୍ତାନ ବିପକ୍ଷ ମ୍ୟାଚରେ ଅଂଶଗ୍ରହଣ କରିବେ। ହେନେରୀଙ୍କ ନେତୃତ୍ୱରେ ଆମେ କ୍ୱାଲିଫାୟର୍ସ ଖେଳିବା ଆରମ୍ଭ କରିଥିଲୁ। ତେଣୁ ନେତୃତ୍ୱରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ଡିଆକ୍ରେ କହିଛନ୍ତି। ଗତ ଟ୍ରେନିଂ କ୍ୟାମ୍ପ ଅବସରରେ ହେନରୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲି। ପରସ୍ଥିତିକୁ ଦୃଷ୍ଟିରେ ରଖି ହେନରୀଙ୍କୁ ଦଳରେ ନିଆଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ଗ୍ରୁପ୍‌ ସି’ରେ ଫ୍ରାନ୍ସ ଓ ଅଷ୍ଟ୍ରିଆ ୧୬ ଲେଖାଏ ପଏଣ୍ଟ ପାଇ ଯୁଗ୍ମ ଭାବେ ଶୀର୍ଷରେ ରହିଛନ୍ତି। ଫ୍ରାନ୍ସ ଏପର୍ଯ୍ୟନ୍ତ ଗୋଲ ବରଣ କରିନାହିଁ ଓ ଅଷ୍ଟ୍ରିଆ ବିପକ୍ଷରେ ମ୍ୟାଚ୍‌ ୦-୦ରେ ଡ୍ର ରଖିଥିଲା। ହେନରୀ ୨୦୧୭ରୁ ଫ୍ରାନ୍ସର ନେତୃତ୍ୱ ନେଇ ଆସୁଛନ୍ତି। ସେ ୯୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ପଛ କଥା ଭୁଲି ଆଗାମୀ ମ୍ୟାଚରେ କିପରି ଭଲ ପ୍ରଦର୍ଶନ କରିବୁ ତାହା ଉପରେ ମନୋନିବେଶ କରିବି ବୋଲି ହେନରୀ କହିଛନ୍ତି।

Share