ମହାକାଳପଡ଼ା,୬ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବିଶାଳ ହେନ୍ତାଳ ଜଙ୍ଗଲ ବିପର୍ଯ୍ୟୟର ସୁରକ୍ଷା ପାଚେରୀ ଭାବେ ଛିଡ଼ା ହୋଇଛି। ଏହାର ସୁରକ୍ଷା ଜରୁରୀ ହୋଇପଡ଼ିଛି। ରବିବାର ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶବିତ୍ ସମରେନ୍ଦ୍ର ମାହାଳିଙ୍କ ଦ୍ୱାରା ବ୍ଲକର ବଉଳକଣି ପଞ୍ଚାୟତ ପନ୍ଦର ମାଇଲି ରାମଚଣ୍ଡୀ ଗଳିଆ ନଦୀ ଅବବାହିକାରେ ଥିବା ହେନ୍ତାଳ ବଣକୁ ସଫେଇ କରିଥିଲେ। ନଦୀ ଓ ସମୁଦ୍ରରୁ ଜୁଆର ପାଣିରେ ଭାସି ଆସୁଥିବା ବର୍ଜ୍ୟବସ୍ତୁ ତଥା ପ୍ଲାଷ୍ଟିକ ବଟଲ, ପଲିଥିନ, ଅନ୍ୟ ଆବର୍ଜନାଗୁଡିକ ଭାସି ଆସି ଗଛ ମୂଳରେ ଲାଗିଥାଏ। ଏ ସବୁ ବର୍ଜ୍ୟବସ୍ତୁ ହେନ୍ତାଳ ଓ ଲୁଣା ଜଙ୍ଗଲରେ ବହୁଳ ଭାବେ ଲାଗିଥାଏ। ଫଳରେ ଗଛ ବଢ଼ିବାରେ ବାଧା ସୃଷ୍ଟି ହୋଇଥାଏ। ଏହି ଅବସରରେ ଏହାକୁ ଦୃଷ୍ଟିରେ ରଖି ରବିବାର ଏକ ସଫେଇ କାର୍ଯ୍ୟକ୍ରମ ମାହାଳିଙ୍କ ଦ୍ୱାରା ହୋଇଥିଲା। ଜଙ୍ଗଲ ସଂଲଗ୍ନ ଥିବା ଆଦିବାସୀ ପନ୍ଦର ମାଇଲି ଗ୍ରାମର ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଲୋକମାନଙ୍କୁ ଜଙ୍ଗଲ ସୁରକ୍ଷା ଓ ସଫେଇ ସମ୍ପର୍କରେ ସଚେତନ କରାଯାଇଥିଲା। ହେନ୍ତାଳ ଓ ଲୁଣା ଜଙ୍ଗଲ ପରିବେଷ୍ଟିତ ଏହି ଆଦିବାସୀ ଅଧ୍ୟୁଷିତ ପନ୍ଦର ମାଇଲି ଗ୍ରାମକୁ ଘେରି ରହିବା ଦ୍ୱାରା ୧୯୬୭, ୧୯୭୧, ୧୯୮୨, ୧୯୯୯,୨୦୧୩, ୨୦୧୪, ୨୦୧୮, ୨୦୧୯ ବାତ୍ୟା ବିପର୍ଯ୍ୟୟରୁ ରକ୍ଷା କରିଛି ବୋଲି ଗାଁର ଲୋକମାନେ କହିଛନ୍ତି। ଗ୍ରାମରୁ ପ୍ରତ୍ୟକ ଘରୁ ବାହାରୁ ଥିବା ଅଳିଆ ଆବର୍ଜନା ଓ ପ୍ଲାଷ୍ଟିକ ଜାତ ସାମଗ୍ରୀଗୁଡିକକୁ ବାହାରି ନ ଫୋପାଡି ପୋଡ଼ି ଦେଲେ ଜଙ୍ଗଲ ଉପରେ ବିପଦ ପଡ଼ିବ ନାହିଁ ବୋଲି ମାହାଳି ଗାଁ ଲୋକଙ୍କୁ ସଚେତନ କରାଇଥିଲେ।