କେନ୍ଦୁଝର, ୩ା୩ (ସ୍ବ.ପ୍ର.): ପିଲା ଦିନରୁ ମାତ୍ର ୭ ବର୍ଷ ବୟସରୁ ବାପାଙ୍କ ସହିତ ଜଡିବୁଟି ଚିକିତ୍ସା କରି ଆଜି ନିଜକୁ ପ୍ରତିଷ୍ଠିତ କରିଛନ୍ତି ବୈଦ୍ୟ ପୁରୁଷୋତ୍ତମ ମହାନ୍ତ। ତାଙ୍କ ଘର ଚମ୍ପୁଆ ବ୍ଲକ ସିଲିପୁଞ୍ଜ ଗ୍ରାମରେ। ୧୯୯୦ ମସିହା ପୂର୍ବରୁ ବାପା ଗାୈତମ ମହାନ୍ତଙ୍କ ଦେହାନ୍ତ ପରେ କାୈଳିକ ବୃତ୍ତି ଭାବେ ଏହି କବିରାଜି ଚିକିତ୍ସାକୁ ଆପଣାଇ ଏବେ ସେ ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଶେଷ କରି ଅପସ୍ମାର, କିଡନୀ, ଶୁକ୍ରାଣୁ ସମସ୍ୟା, ବାତ, ସ୍ତ୍ରୀ ରୋଗ ଚିକିତ୍ସାରେ ସିଦ୍ଧହସ୍ତ ହୋଇ କେନ୍ଦୁଝର ଜିଲା ବ୍ୟତୀତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରୋଗୀ ଚିକିତ୍ସା କରୁଛନ୍ତି।
ଗାଁ ଗାଁ ବୁଲି ବିଭିନ୍ନ ଛକରେ ଦୋକାନ ଖୋଲି ରୋଗୀ ଚିକିତ୍ସା କରିଆସୁଥିବା ପୁରୁଷୋତ୍ତମ କିଛି ବର୍ଷ ହେଲା ସ୍ଥାୟୀ ଭାବେ କେନ୍ଦୁଝର ସହର କଲେଜ ରୋଡରେ ନିଜର ଚିକିତ୍ସା କେନ୍ଦ୍ର (ଆୟୁର୍ବେଦିକ ସେବା ସଦନ) ଖୋଲି କାମ କରିଆସୁଛନ୍ତି। ନିଜେ ଜଡିବୁଟି ସଂଗ୍ରହ କରି ଏବଂ ବାହାରୁ କିଣି ଔଷଧ ପ୍ରସ୍ତୁତ କରିବା ସହ ରୋଗୀଙ୍କ ଚିକିତ୍ସା କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଏହା ପୂର୍ବରୁ ଦୀର୍ଘ ୧୨ ବର୍ଷ ଧରି ବୈଦ ବିଶାରଦ ହରେକୃଷ୍ଣ ମହାନ୍ତଙ୍କଠାରୁ ପରାମର୍ଶ ନେଇ ତାଙ୍କ ସହିତ କାମ କରିଥିବା କୁହନ୍ତି। ତାଙ୍କର ଦୃଢ ଇଛା ଶକ୍ତି ଓ ଚିକିତ୍ସା ସେବାରେ ଗବେଷଣାତ୍ମକ ଚିନ୍ତାଧାରା ଯୋଗୁ ଆଜି ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବହୁ ଜିଲା ଓ ବାହାର ରୋଗୀଙ୍କୁ ସଫଳ ଚିକିତ୍ସା କରିପାରିଛନ୍ତି ବୋଲି ବୈଦ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି। ଏବେ ତାଙ୍କ ପାଖରେ ପାଖାପାଖି ୨୫୦ ପ୍ରକାରର ଜଡିବୁଟି ରହିଥିବା ବେଳେ ସେସବୁ ପଶ୍ଚିମବଙ୍ଗ, ରାଇପୁର, ଉତ୍ତରାଖଣ୍ଡ ଆଦି ରାଜ୍ୟରୁ ସେ କିଣିଥିବା କୁହନ୍ତି। ସେ ନିଜେ ୯୦ ପ୍ରତିଶତ ଗଛପତ୍ର ଦେଖି ଚିହ୍ନିପାରନ୍ତି। ଜଡିବୁଟିର ମାନ ଅନୁଯାୟୀ ଔଷଧୀୟ ଗୁଣ ଏବଂ ଦାମ ରହିଛି ା ସେ ଅନୁସାରେ ଚିକିତ୍ସା କରାଯାଇଥାଏ। ଏଣୁ ଅନେକ ସମୟରେ ବ୍ୟୟବହୁଳ ହୋଇଥିଲେ ହେଁ ଯେଉଁ ରୋଗ ଏଲୋପାଥୀରେ ଭଲ ହେବ ନାହିଁ ତାହା ଏହି ଔଷଧରେ ଭଲ ହୋଇଥାଏ ବୋଲି ସେ କୁହନ୍ତି ା ବିଶେଷ କରି ତାଳପତ୍ର ପୋଥି, ଶାସ୍ତ୍ରୀୟ ଔଷଧ, ତୁଟୁକା ଔଷଧର ସହାୟତାରେ ଚିକିତ୍ସା କରିଥାନ୍ତି। ଜଙ୍ଗଲ କ୍ଷୟ ଯୋଗୁଁ ବହୁ ପାରମ୍ପାରିକ ଔଷଧୀୟ ଫଳ, ମୂଳ ଆଦି ଲୋପ ପାଇବାକୁ ବସିଥିଲେ ହେଁ ଖଣ୍ଡାଖାଇ, କୁଳୁଚି, ନାଗରମୁଖା, ଅଁଳା ଆଦି ବାହାରକୁ ଚାଲାଣ ହୋଇଯାଉଛି।
ରୋଗର ପ୍ରକୃତ କାରଣ ଚିହ୍ନି ପାରିଲେ ଚିକିତ୍ସା ସୁବିଧା ଜନକ ହୋଇଥାଏ। ଏଲୋପାଥୀ ଭଳି ଏହି ଚିକିତ୍ସାରେ ତୁରନ୍ତ ଭଲ ହେବା ବ୍ୟବସ୍ଥା ନାହିଁ। ଏଣୁ ଏଥିପାଇଁ ବିଶ୍ୱାସ, ଧୈର୍ଯ୍ୟ ଜରୁରୀ ବୋଲି ସେ କୁହନ୍ତି ା ଆଜିକାଲି ଔଷଧର ବେପାର ବଢିଯାଇଛି। ବହୁ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଠିକ ନୀତିନିୟମ, ଭାଗମାପରେ କରାଯାଉଛି କି ନାହିଁ ତାହା ଉପରେ ରୋଗର ଉପଶମ ନିର୍ଭର କରିଥାଏ ବୋଲି ସେ କୁହନ୍ତି। ଏହି ଔଷଧର ପାର୍ଶ୍ୱବର୍ତ୍ତୀ ପ୍ରତିକ୍ରିୟା ନ ଥାଏ। ସେ ଶ୍ରେଷ୍ଠ ଯୁବକ ବୈଦ୍ୟ ଭାବରେ ବିଭିନ୍ନ ସ୍ଥାନରେ ସମ୍ମାନ ଓ ସମ୍ବର୍ଦ୍ଧନା ପାଇ ଆସିଥିଲେ ହେଁ ରୋଗୀ ସେବାକୁ ପାଥେୟକରି ଆଗେଇଚାଲିଛନ୍ତି। ସରକାରଙ୍କ ତରଫରୁ ମାନ୍ୟତା ଓ ପ୍ରୋତ୍ସାହନ ମିଳିଲେ ତାଙ୍କ ଭଳି ଅନ୍ୟମାନେ ଉପକୃତ ହୋଇପାରିବେ ଏବଂ ଏହି ବହୁ ପୁରୁଣା ପରମ୍ପରାର ସୁରକ୍ଷା ହେବା ସହ ନୀରୋଗ ସମାଜ ଗଠନରେ ସହାୟକ ହୋଇପାରନ୍ତା ବୋଲି ସେ କୁହନ୍ତି।