ଖୋଲିଲା ହାଟ: ଏଣିକି ମିଳିବ ହଳଦୀ, ଦେଶୀ ଛେଳି ଆଉ କୁକୁଡ଼ା

ଦାରିଙ୍ଗବାଡ଼ି,୧୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲାରେ ଜୈବିକ ହଳଦୀଚାଷ ସହ କ୍ଷୁଦ୍ରଦାନା ଶସ୍ୟ, ଡାଲି ଜାତୀୟ ଫସଲ, ସୋରିଷ, ଜଙ୍ଗଲଜାତ ଦ୍ରବ୍ୟ ପାଳୁଅ, ମହୁ, ଝୁଣା, ମହୁଲ, ତେନ୍ତୁଳି ଭଳି ସାମଗ୍ରୀର ବହୁତ ଚାହିଦା ରହିଛି। ସେହିପରି ଛେଳି, ଦେଶୀ କୁକୁଡ଼ାର ଚାହିଦା ରହିଛି। ହେଲେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକ ଏହି ସବୁ ପାରମ୍ପାରିକ ଚାଷ ଓ ଜଙ୍ଗଲରୁ ସଂଗ୍ରହ କରୁଥୁବା ସାମଗ୍ରୀକୁ ବିକ୍ରିବଟା କରିବା ପାଇଁ ସେମାନଙ୍କୁ ଆବଶ୍ୟକ ରହିଥିବା ସ୍ବତନ୍ତ୍ର ବଜାର ବ୍ୟବସ୍ଥା ନାହିଁ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ପକ୍ଷରୁ ପ୍ରଥମଥର ପାଇଁ ହାଟର ବ୍ୟବସ୍ଥା ଆରମ୍ଭ କରାଯାଇଛି। ସ୍ଥାନୀୟ ପାହାଡ଼ି ପ୍ରଡ୍ୟୁସର ଗ୍ରୁପ୍‌, ଅନ୍ତରଙ୍ଗ ଯୁବକ ସଂଘ ଓ ପଞ୍ଚାୟତ ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି। ଉକ୍ତ ପଞ୍ଚାୟତର ଅଡାମାହା ଛକ ତଥା ୫୯ ନଂ ଜାତୀୟ ରାଜପଥ କଡ଼ରେ ଏହି ହାଟର ବ୍ୟବସ୍ଥା କରାଯାଇଛି। ପ୍ରତି ଗୁରୁବାର ଏହି ହାଟ ବସୁଥିବା ବେଳେ ଏହି ହାଟରେ ପାରମ୍ପରିକ ଚାଷରୁ ଅମଳ ସାମଗ୍ରୀ ସମେତ ପୋଷାକ, ଶୁଖୁଆ, ଛେଳି, କୁକୁଡ଼ା, ରାଶନ ସାମଗ୍ରୀ, ପନିପରିବା ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ସୁବିଧାରେ ମିଳିପାରିବ। ବିଶେଷକରି ଦାରିଙ୍ଗବାଡ଼ିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ହାଟ ସହାୟକ ହୋଇପାରିବ ବୋଲି ଆଶା କରାଯାଇଛି। ଗ୍ରାମବିକାଶ ପକ୍ଷରୁ ଏହି ସାପ୍ତାହିକ ହାଟ ପାଇଁ ଲୋକଙ୍କୁ ସଚେତନ କରାଇ ଆରମ୍ଭ କରିବାକୁ ପ୍ରୟାସ କରାଯାଇଥିବା ଗ୍ରାମବିକାଶର କର୍ମକର୍ତ୍ତା ପ୍ରଭଞ୍ଜନ ପ୍ରଧାନ କହିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ବ୍ଲକର ବୁଡ଼ାଗୁଡା, ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ, କାଟିଙ୍ଗିଆ, ଗଦାପୁର, ସିକରମାହାରେ ପୂର୍ବରୁ ସାପ୍ତାହିକ ହାଟ ଚାଲିଥିବା ଏବେ ଅଡ଼ାମାହା ନୂତନ ସାପ୍ତାହିକ ହାଟ ଯୋଡ଼ି ହୋଇପାରିଛି। ଏହି ହାଟର ଶୁଭାରମ୍ଭ ଜାଗୃତିର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରିକ ପ୍ରଧାନ, ପ୍ରଡ୍ୟୁସର ଗ୍ରୁପର ସଭାପତି ଶରତ ପ୍ରଧାନ, ଅନ୍ତରଙ୍ଗ ଯୁବ ମହାସଂଘର ଜିଲା ସଭାପତି ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତିରେ ହୋଇଥିଲା।

Share