ଏଠାରେ ଭଗବାନଙ୍କୁ ପ୍ରସାଦ ରୂପେ ଅର୍ପଣ କରାଯାଉଛି ମାସ୍କ

ବାରାଣସୀ,୧୭।୭: ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି। କରୋନା କାଳରେ ସବୁ ଧାର୍ମିକ ସ୍ଥାନରେ ସମସ୍ତ ରୀତିନୀତିକୁ ବନ୍ଦ କରାଯାଉଥିବା ବେଳେ ଆଉ କେତେକ ରୀତିନୀତି କମ୍‌ କରିଦିଆଯାଇଛି। ଇତିମଧ୍ୟରେ ଉତ୍ତରପ୍ରଦେଶର ଧର୍ମନଗରୀ କୁହାଯାଉଥିବା କାଶୀରେ ଭଗବାନଙ୍କୁ ନବେଦ୍ୟ ଆକାରରେ ମାସ୍କ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଏଭଳି ଏକ ପ୍ରୟାସ କରାଯାଉଛି।

 

 

ସୂଚନାଯୋଗ୍ୟ, ଯେପରି ମନ୍ଦିରରେ ଚଢ଼ାଯାଉଥିବା ଓଢ଼ଣୀ ଓ ବସ୍ତ୍ରକୁ ଘରେ ପୂଜାସ୍ଥାନରେ ରଖିଲେ ଶୁଦ୍ଧ ଓ ସାତ୍ତ୍ୱିକ ଭାବନା ଜାଗ୍ରତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଠିକ୍‌ ସେହିପରି ପ୍ରସାଦ ରୂପେ ମିଳିଥିବା ମାସ୍କକୁ ଗୁରୁତ୍ୱ ଦେବା ସହ ନିଜ ମୁହଁରେ ଧାରଣ କରିବେ ବୋଲି ଆଶାପୋଷଣ କରାଯାଇଛି। ତେଣୁ ଉତ୍ତରପ୍ରଦେଶର ବାରାଣାସୀ ସ୍ଥିତ ଲକ୍ଷ୍ମୀ ମଙ୍ଗଳେଶ୍ୱର ମହାଦେବ ମିସିର ପୋଖରା ମନ୍ଦିରରେ ସାମାଜିକ କର୍ମୀ ଚନ୍ଦ୍ରଶେ ନାରାୟଣ ପାଣ୍ଡେ ଭଗବାନଙ୍କୁ ନବେଦ୍ୟ ରୂପେ ମାସ୍କ ଅର୍ପଣ କରୁଛନ୍ତି। ଏହାପରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଏହା ବଣ୍ଟନ କରାଯାଉଛି। ପ୍ରତିଦିନ ସେ ୧୦୦ଟି ମାସ୍କ ବଣ୍ଟନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ ପ୍ରତିଦିନ ଏହି ମାସ୍କ ମନ୍ଦିରକୁ ଉତ୍ସର୍ଗ କରିବା ପରେ ଅସହାୟ ଲୋକଙ୍କୁ ବଣ୍ଟନ କରାଯିବ ବୋଲି ଚନ୍ଦ୍ରେଶ କହିଛନ୍ତି।

 

Share