Categories: ଜାତୀୟ

ଗଣତନ୍ତ୍ରକୁ ବଂଶବାଦ ବିପଦ

ନୂଆଦିଲ୍ଲୀ,୧୨ା୧୧: ଗଣତନ୍ତ୍ର ହେଉଛି ସବୁଠୁ ବଡ଼ ଶକ୍ତି। ଆମର ଏହି ବଳକୁ ଦେଶର ଜନତା ଉଚିତ ମୂଲ୍ୟ ଦେଇଛନ୍ତି। ମାତ୍ର ଆମକୁ ଯାହା ପଛକୁ ଟାଣୁଛି ତାହା ହେଲା ପରିବାର ଚାଳିତ ରାଜନୈତିକ ଦଳ। ଏପରି ଦଳ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ରହିଛି। ସେମାନେ ନିଜର ଯୋଜନା ପ୍ରସ୍ତୁତ କରୁଛନ୍ତି। କେବଳ ଆଞ୍ଚଳିକ ଦଳ ନୁହନ୍ତି, ଜାତୀୟ ସ୍ତରରେ ଥିବା ବଡ଼ ଦଳ ମଧ୍ୟ ଗୋଟିଏ ପରିବାର ଭିତରେ ସୀମିତ ହୋଇଯାଉଛି। ଗଣତନ୍ତ୍ର ପ୍ରତି ଏହା ହିଁ ସବୁଠୁ ବଡ଼ ବିପଦ। ବଂଶବାଦ ଓ ଗଣତନ୍ତ୍ର ଏକସଙ୍ଗେ ଚାଲେନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବିହାର ବିଧାନସଭା ନିର୍ବାଚନରେ ଭାଜପାର ବିଜୟ ପରେ ଲୋକଙ୍କୁ ଧନ୍ୟବାଦ ଦେବାକୁ ଯାଇ ନୂଆଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ମୋଦି ସମ୍ବୋଧନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଯେଉଁମାନେ ଆମକୁ ଜିତାଇଛନ୍ତି କେବଳ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁନାହିଁ। ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇଥିବା ସମସ୍ତଙ୍କୁ ଧନ୍ୟବାଦ।

Share