Categories: ଖେଳ

ହାରିଲେ ଏଭଳି କୁହନ୍ତି ଲୋକେ: କପିଲ ଦେବଙ୍କୁ ଜାଡେଜାଙ୍କ ଜବାବ…

କୋଲକାତା,୧।୮ : ନିକଟରେ ଏକ ସାକ୍ଷାତକାରରେ ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ଅହଂକାରୀ ବୋଲି ଅଭିହିତ କରିଥିଲେ। ସେ କହିଥିଲେ ଟଙ୍କା ଆସିବା ପରେ କିଛି ଖେଳାଳି ଅହଂକାର କରିଛନ୍ତି। ଖେଳାଳିମାନେ ଭାବୁଛନ୍ତି ସେମାନେ ସବୁକିଛି ଜାଣନ୍ତି ଏବଂ ପରାମର୍ଶ ପାଇଁ ଜଣେ ଭେଟେରାନଙ୍କ ନିକଟକୁ ମଧ୍ୟ ଯାଆନ୍ତି ନାହିଁ। ରବିନ୍ଦ୍ର ଜାଡେଜା ବର୍ତ୍ତମାନ ଏହାର ଉତ୍ତର ଦେଇଛନ୍ତି। ତୃତୀୟ ଦିନିକିଆ ପୂର୍ବରୁ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଜାଡେଜା କହିଛନ୍ତି ପୂର୍ବତନ ଖେଳାଳିମାନେ ସେମାନଙ୍କ ମତ ପ୍ରକାଶ କରିବା ଉଚିତ, କିନ୍ତୁ କପିଲଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ।

କପିଲ ଦେବଙ୍କ ମନ୍ତବ୍ୟର ଜବାବ ଦେଇ ଜାଡେଜା କହିଛନ୍ତି ଯେତେବେଳେ ଭାରତ ମ୍ୟାଚ ହାରିଯାଏ ସେତେବେଳେ ଲୋକମାନେ ଏପରି ମନ୍ତବ୍ୟ ଦିଅନ୍ତି। ଜାଡେଜା କହିଛନ୍ତି ଖେଳାଳିମାନେ କେବଳ ଭାରତ ପାଇଁ ଜିତିବା ଉପରେ ଧ୍ୟାନ ଦେଇଥିଲେ ଏବଂ ସେମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ନ ଥିଲା।

ଜାଡେଜା କହିଛନ୍ତି, ସମସ୍ତଙ୍କର ନିଜସ୍ବ ମତ ଅଛି। ପୂର୍ବତନ ଖେଳାଳିଙ୍କର ମତାମତ ଦେବାର ସମସ୍ତ ଅଧିକାର ଅଛି, କିନ୍ତୁ ମୁଁ ଭାବୁନାହିଁ ଦଳରେ କୌଣସି ଅହଂକାର ଅଛି। ସମସ୍ତେ ନିଜ କ୍ରିକେଟ ଉପଭୋଗ କରୁଛନ୍ତି ଏବଂ ସମସ୍ତେ କଠିନ ପରିଶ୍ରମ କରୁଛନ୍ତି। ସେମାନେ ସେମାନଙ୍କର ଶତପ୍ରତିଶତ ପ୍ରୟାସ ଦେଉଛନ୍ତି। ଭାରତୀୟ ଦଳ ଏକ ମ୍ୟାଚ ହାରିଗଲେ ଏଭଳି ମନ୍ତବ୍ୟ ସାଧାରଣତଃ ଆସିଥାଏ।
ଏକ ଦଳ ଭାବରେ ଭଲ କରିବା ଆମର ଲକ୍ଷ୍ୟ। ’ ଜାଡେଜା କହିଛନ୍ତି ଯୁବକ ଏବଂ ଅଭିଜ୍ଞତାକୁ ମିଶାଇ ଏହା ଏକ ଭଲ ଦଳ। ଆମେ ଭାରତର ପ୍ରତିନିଧିତ୍ୱ କରୁଛୁ ଏବଂ ମ୍ୟାଚ ଜିତିବା ଆମର ମୁଖ୍ୟ ଉଦ୍ଦେଶ୍ୟ।

Share