Categories: ଜାତୀୟ

ଦେଶରେ ସାଇକେଲ୍‌ର ପଡିପାରେ ଅଭାବ ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୯।୭: ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। ଏପର୍ଯ୍ୟନ୍ତ କୌଣସି ଟିକା ବାହାରି ନ ଥିବାରୁ ଏହି ମହାମାରୀ ଏବେ ମାଡିଚାଲିଛି। ସାଧାରଣ ଜନଜୀବନ ଦୁର୍ବିସହ ହୋଇପଡିଛି। ଅନେକ ଲୋକ କାମଧନ୍ଦା ନ ପାଇଁ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କ ଜୀବନଶୈଳୀ ମଧ୍ୟ ବଦଳି ଯାଇଛି। କରୋନା ସହ ଲଢିବାକୁ ହେଲେ ନିଜକୁ ଫିଟ୍‌ ରଖିବା ନିହାତି ଆବଶ୍ୟକ। ଗୋଟିଏ ପଟେ ବ୍ୟାୟାମ, ଫିଟନେସ ଲାଗି ପାର୍କ, ଜିମ ବନ୍ଦ ରହିଥିବା ବେଳେ ଲୋକେ ଏଣିକି ସାଇକେଲ ଚଲାଇବାକୁ ବେଶୀ ପସନ୍ଦ କରୁଛନ୍ତି। ଏହାଦ୍ୱାରା ୩ଟି ଫାଇଦା ହେଉଛି ଗୋଟିଏ ହେଉଛି ପେଟ୍ରୋଲ ପକାଇବାକୁ ପଡୁନି, ଦ୍ୱିତୀୟରେ ସାମାଜିକ ଦୂରତା ରକ୍ଷା ଏବଂ ତୃତୀୟରେ ଶରୀରକୁ ମଧ୍ୟ ଫିଟ୍‌ ରଖି ହେଉଛି। ଏହି କାରଣରୁ ସାଇକେଲର ଚାହିଦା ବହୁ ମାତ୍ରାରେ ବଢିଛି। ଦେଶର ସର୍ବବୃହତ୍‌ ଲୋକପ୍ରିୟ ସାଇକେଲ କମ୍ପାନୀ ହିରୋ କହିଛି ଯେ, ଲକଡାଉନ ପରେ ସାଇକେଲର ଚାହିଦା ଖୁବ ବଢ଼ିଯାଇଛି। ପ୍ରିମିୟମ କ୍ୟାଟେଗୋରିରେ ପ୍ରାୟ ୫୦ ପ୍ରତିଶତ ଚାହିଦା ବଢ଼ିଥିବା ବେଳେ ଇଲେକ୍ଟ୍ରୋନିକ କ୍ୟାଟେଗୋରୀରେ ଶତ ପ୍ରତିଶତ ଚାହିଦା ବୃଦ୍ଧି ପାଇଥିବା ହିରୋ କହିଛି। କମ୍ପାନୀର ସିଏମ୍‌ଡି ପଙ୍କଜ ମୁଞ୍ଜାଲ କହିଛନ୍ତି, ସହରରେ ସାଇକେଲ୍‌ର ଚାହିଦା ବଢିଛି। ପରିସ୍ଥିତି ଏପରି ହୋଇଛି ଯେ ଡିଲରଙ୍କ ପାଖରେ ମାତ୍ର ୧୦ରୁ ୧୫ ପ୍ରତିଶତ ସାଇକେଲ ଷ୍ଟକ୍‌ ରହିଛି। ଆଗାମୀ ଦିନରେ ଏହାର  ଅଭାବ ଦେଖାଦେଇପାରେ ବୋଲି ସେ କହିଛନ୍ତି।

Share