Categories: ବାଣିଜ୍ୟ

ହିରୋ ମୋଟୋକର୍ପର ନୂଆ ଇଭି ବ୍ରାଣ୍ଡ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ, ୫ା୩: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ପକ୍ଷରୁ ନୂଆ ଇଲେକ୍ଟ୍ରିକ୍‌ ଯାନ(ଇଭି) ବିଭାଗରେ ଏକ ନୂଆ ବ୍ରାଣ୍ଡ୍‌ର ଶୁଭାରମ୍ଭ କରାଯାଇଛି। ଉକ୍ତ ବ୍ରାଣ୍ଡ୍‌ର ନାମ ‘ଭିଡା’ ରଖାଯାଇଛି। ଭିଡା ବ୍ରାଣ୍ଡ୍‌ ଦ୍ୱାରା ହିରୋ ମୋଟୋକର୍ପର ପ୍ରଥମ ଦୁଇଚକିଆ ଇଭି ଯାନ ଚଳିତ ବର୍ଷ ଜୁଲାଇ ପହିଲାରେ ଉନ୍ମୋଚନ ହେବାର ଯୋଜନା ରହିଛି। ସେହିଭଳି ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀର ଏହି ପ୍ରଥମ ମଡେଲକୁ ହିରୋ ମୋଟୋକର୍ପର ଚିତ୍ତୁର ପ୍ଲାଣ୍ଟରେ ନିର୍ମାଣ କରାଯିବାର ଯୋଜନା ରହିଛି। ନିକଟରେ ଦୁବାଇର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ‘ଭିଡା’ ବ୍ରାଣ୍ଡ୍‌ର ଶୁଭାରମ୍ଭ କରି ହିରୋ ମୋଟୋକର୍ପର ଚେୟାରମ୍ୟାନ୍‌ ଏବଂ ସିଇଓ ପଓ୍ବନ ମୁଞ୍ଜଲ୍‌ ଏ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ସହ ଏଥିପାଇଁ ୭୬୧ କୋଟି ଟଙ୍କା ନିବେଶ ସମ୍ପର୍କରେ ଘୋଷଣା କରିଛନ୍ତି।

Share