Categories: ଜାତୀୟ

ଆଥ୍‌ଲେଟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ, ୯ା୮: ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କ ସମେତ ସଫଳତା ହାସଲ କରିଥିବା ଭାରତୀୟ ଅଲିମ୍ପିକ ଦଳ ସୋମବାର ସ୍ବଦେଶ ଫେରିଛି। ସ୍ଥାନୀୟ ବିମାନବନ୍ଦରରେ କ୍ରୀଡ଼ାପ୍ରେମୀମାନଙ୍କ ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏହି ଅବସରରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ମହା ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ, ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ମୁଖ୍ୟ ଆଦିଲ ସୁମାରିଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ। ବିମାନବନ୍ଦର ଭିତରେ ଓ ବାହାରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା। ସେମାନଙ୍କ ମଧ୍ୟରେ ଆଥ୍‌ଲେଟଙ୍କ ପରିବାର ସଦସ୍ୟ, ସମର୍ଥକ ଓ ରାଜନୈତିକ ନେତା ପ୍ରମୁଖ ରହିଥିଲେ। ସେମାନେ ଆଥ୍‌ଲେଟମାନଙ୍କ ଜୟଜୟକାର କରିଥିଲେ। ଲୋକମାନେ ନୃତ୍ୟଗୀତ ଆଦିି କରି ପଦକ ବିଜେତାଙ୍କ ପ୍ରତି ଖୁସି ଜଣାଇଥିଲେ। ଭିଡ଼ ଯୋଗୁ ସାମାଜିକ ଦୂରତ୍ୱ ରକ୍ଷା କରିବା ସମ୍ଭବ ନ ଥିଲା। କେତେକଙ୍କ ମୁହଁରେ ମାସ୍କ ନ ଥିଲା। ତାରକା ଆଥ୍‌ଲେଟଙ୍କ ସାମାନ୍ୟ ଝଲକ ପାଇଁ ସେମାନେ ସବୁକିଛି ଭୁଲି ଯାଇଥିଲେ। ବିମାନ ବନ୍ଦର ବାହାରେ ଉତ୍ସାହୀ ଦର୍ଶକଙ୍କ ମଧ୍ୟରେ ଠେଲାପେଲା ଲକ୍ଷ୍ୟ କରାଯାଇଥିଲା।

Share