ଯୁଦ୍ଧରେ ଶାନ୍ତିର ନାୟିକା

ଆଫଗାନିସ୍ତାନକୁ ସ୍ତବ୍ଧ କରିଦେଇଛି ୩ ମହିଳା ଗଣମାଧ୍ୟମ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା। ତେଣୁ ତାଲିବାନ ଓ ଆମେରିକା ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିରେ ଆଫ୍‌ଗାନ ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ବ୍ୟବସ୍ଥା ନାହିଁ ବୋଲି ଏମ୍‌ପି ଫୱଜିଆ ଖୁଫି ଚିନ୍ତିତ। ୪୦ ବର୍ଷ ଧରି ଯୁଦ୍ଧ ପ୍ରଭାବିତ ଏହି ଦେଶରୁ ଆମେରିକୀୟ ସେନା ପ୍ରତ୍ୟାହାର ସମୟ ପାଖେଇ ଆସୁଥିବାବେଳେ ରାଜନୀତିରେ ତାଲିବାନର ପ୍ରଭାବ ପୁଣି ବଢ଼ିବା ନେଇ ସେ ଆଶଙ୍କା କରୁଛନ୍ତି। ତାଲିବାନ ବିରୋଧୀ ଭାବେ ଜଣାଶୁଣା ଫୱଜିଆ ଖୁଫି ଗତ ଅଗଷ୍ଟରେ ଦୋହାକୁ ଶାନ୍ତି ପ୍ରକ୍ରିୟାରେ ଭାଗନେବା ପାଇଁ ଯିବା ପୂର୍ବରୁ ହତ୍ୟାର ଶିକାର ହେଉ ହେଉ ବର୍ତ୍ତି ଯାଇଥିଲେ। ସରକାର ତାଙ୍କୁ ଶାନ୍ତି ଆଲୋଚନା ପାଇଁ ମଧ୍ୟସ୍ଥ ନିଯୁ୍‌କ୍ତ କରିଛନ୍ତି। ଫୱଜିଆଙ୍କ ବାପା ମଧ୍ୟ ଜଣେ ଏମ୍‌ପି ଥିଲେ, ଯାହାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ।

ଏସବୁକୁ ଡରେନାହିଁ

ନିକଟରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆ କମେଣ୍ଟ ବକ୍ସରେ ଶହନାଜ ଗିଲଙ୍କୁ ଏସିଡ୍‌ ଆକ୍ରମଣର ଧମକ ଦେଇଥିଲେ। ଏବେ ଏହା ଉପରେ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ଆସିଯାଇଛି। ‘ବଲିଉଡ୍‌ ହଙ୍ଗାମା’କୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି, ଏସବୁକୁ ମୁଁ ଡରେନାହିଁ। ଖରାପ କାମ କରୁଥିବା ବ୍ୟକ୍ତି ନିଜର ହିଁ କ୍ଷତି କରିଥାଆନ୍ତି। ବିଗ୍‌ବସ୍‌ ୧୩ରୁ ସାରା ଦେଶରେ ନାଁ କମାଇଥିବା ଶହନାଜଙ୍କୁ ଫ୍ୟାନ୍‌ମାନେ ପଞ୍ଜାବର କ୍ୟାଟ୍ରିନା କୈଫ୍‌ ଆଖ୍ୟା ଦେଇଛନ୍ତି। ଏବେ ସେ କାନାଡାରେ ଅଛନ୍ତି। ଦିଲ୍‌ଜିତ୍‌ ଦୋସାଞ୍ଜଙ୍କ ସହ ନିଜ ଅପ୍‌କମିଂ ପ୍ରୋଜେକ୍ଟର ଶୁଟିଂ କରୁଛନ୍ତି।

ଲାଠି ପୂରାଇଥିଲା ପୋଲିସ

ପୋଲିସ ମୋତେ ଜୋତା ମାରିଥିଲା, ମୋ ସମ୍ବେଦନଶୀଳ ଅଙ୍ଗରେ ଲାଠି ପୂରାଇଥିଲା। ପ୍ରବଳ ରକ୍ତ ବହୁଥିଲା। ସେଠାରେ କେହି ଜଣେ ହେଲେ ଲେଡି ଅଫିସର ନ ଥିଲେ। କୃଷକ ଓ ଶ୍ରମିକମାନଙ୍କ ପାଇଁ ଲଢ଼େଇ କରୁଥିବା ୨୪ ବର୍ଷୀୟା ଦଳିତ ଅଧିକାର କର୍ମୀ ନୋଦୀପ କୌର ଏମିତି ବୟାନ କରିଛନ୍ତି ଅଙ୍ଗେ ନିଭାଇଥିବା ହାଜତ ନିର୍ଯାତନାର କଥା। ନୋଦୀପ ପୁଣି ଫେରିଛନ୍ତି ସେହି ସିଙ୍ଘୁ ସୀମାକୁ, ଯେଉଁଠୁ ପୋଲିସ ତାଙ୍କୁ ଗିରଫ କରି ୪୬ ଦିନ ହାଜତରେ ରଖିଥିଲା। ମୁଁ ଜାମିନ ପାଇବାରେ ନୁହେଁ, କୃଷକମାନଙ୍କ ଦାବି ପୂରଣ ହେଲେ ଯାଇ ପ୍ରକୃତ ବିଜୟ ମିଳିବ ବୋଲି କହିଛନ୍ତି ନୋଦୀପ।

ମେଘାନ୍‌ଙ୍କ ବିଜୟ

ମେଘାନ୍‌ ମର୍କେଲଙ୍କ ହାଇପ୍ରୋଫାଇଲ ପ୍ରିଭେସି ମାମଲାରେ ଆସୋସିଏଟେଡ୍‌ ନ୍ୟୁଜ୍‌ପେପର୍ସ ହାରିଯାଇଛି। ତେଣୁ ମେଘାନ୍‌ଙ୍କ ଆଇନଗତ ବିଜୟକୁ ସ୍ବୀକାର କରି ପ୍ରଥମ ପୃଷ୍ଠାରେ ଏକ ବିବୃତି ଛାପିବା ପାଇଁ ହାଇକୋର୍ଟ ଜଜ୍‌ ମାର୍କ ୱାର୍ବି ଉକ୍ତ ଖବରକାଗଜକୁ ନିର୍ଦ୍ଦେଶ ଦେଇଛନ୍ତି। ଡଚେସ୍‌ ଅଫ୍‌ ସସେକ୍ସ ମେଘାନ୍‌ ବାପା ଥୋମୋସ୍‌ ମର୍କେଲଙ୍କୁ ୨୦୧୮ରେ ଲେଖିଥିବା ଏକ ଚିଠିର କିଛି ଅଂଶକୁ ଆସୋସିଏଟେଡ୍‌ ନ୍ୟୁଜ୍‌ପେପର୍ସ ପ୍ରକାଶ କରି ତାଙ୍କ ପ୍ରିଭେସି ଓ କପିରାଇଟ୍‌ ଉଲ୍ଲଂଘନ କରିଥିବା ଅଭିଯୋଗ ନିକଟରେ ପ୍ରମାଣିତ ହୋଇଛି। ମେଘାନ୍‌ ହେଉଛନ୍ତି ବ୍ରିଟେନ ମହାରାଣୀ କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନାତି ପ୍ରିନ୍ସ ହେରିଙ୍କ ସ୍ତ୍ରୀ।

Share