Categories: ଜାତୀୟ

ଜାଲିଆନୱାଲା ବାଗ ଶହୀଦ୍‌ଙ୍କ ବୀରତ୍ୱ ଦେଶବାସୀଙ୍କୁ ପ୍ରେରଣା ଦେଉଥିବ…

ନୂଆଦିଲ୍ଲୀ, ୧୩।୪ : ଜାଲିଆନୱାଲା ବାଗ ଶହୀଦ୍‌ଙ୍କ ବୀରତ୍ୱ କାହାଣୀ ଦେଶବାସୀଙ୍କୁ ପ୍ରେରଣା ଦେଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏହି ହତ୍ୟାକାଣ୍ଡର ୧୦୩ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି। ପ୍ରଧାନମନ୍ତ୍ରୀ ଜାଲିଆନୱାଲା ବାଗ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସେମାନଙ୍କ ବଳିଦାନ ଅତ୍ୟନ୍ତ ଗୁରୁତ୍ୱପୃର୍ଣ୍ଣ ବୋଲି ଟୁଇଟ୍‌ କରି କହିଛନ୍ତି।

୧୩ ଏପ୍ରିଲ ୧୯୧୯ ରେ ଅମୃତସରର ଜାଲିଆନୱାଲା ବାଗ ହତ୍ୟାକାଣ୍ଡ ଘଟିଥିଲା। ସୈଫୁଦ୍ଦିନ କିଚଲେଓ୍‌ତ୍ ଏବଂ ଡ. ସତ୍ୟ ପାଲଙ୍କୁ ବ୍ରିଟିଶ୍‌ ସରକାର ଗିରଫ କରିଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରି ଜନସମାବେଶର ଆୟୋଜନ କରିଥିଲେ। ଲୋକଙ୍କୁ ଦଣ୍ଡ ଦେବାକୁ ଯାଇ ଆଙ୍ଗ୍ଲୋ-ଇଣ୍ଡିଆନ ବ୍ରିଗେଡିୟର୍‌ ଆର.ଇ.ଏଚ୍‌ ଡାୟର ଜାଲିଆନୱାଲା ବାଗର ଏକ ମାତ୍ର ପ୍ରବେଶ ପଥରେ ତାଙ୍କର ସୈନ୍ୟଙ୍କୁ ଠିଆ କରାଇ ନିରୀହ ଲୋକଙ୍କ ଉପରେ ଗୁଳି ଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜାଲିଆନୱାଲା ବାଗର କେବଳ ଗୋଟିଏ ପାର୍ଶ୍ୱରେ ବାହାରକୁ ଯିବାର ସୁବିଧା ଥିବାବେଳେ ଏହାର ଅନ୍ୟ ତିନି ପାର୍ଶ୍ୱ ବିଲ୍ଡିଂ ଦ୍ୱାରା ଆବଦ୍ଧ ଥିଲା। ଫଳରେ ଗୁଳିମାଡ଼ରୁ ରକ୍ଷା ପାଇବା ଅସମ୍ଭବ ଥିଲା। ଡାୟରଙ୍କ ସୈନ୍ୟ ଗୁଳି ଶେଷ ନହେବା ପର୍ଯ୍ୟନ୍ତ ଗୁଳି ଚଳାଇଥିଲେ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟୁଇଟ୍‌ କରି ଜାଲିଆନୱାଲା ବାଗ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

 

Share