ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା ଭାଷାରେ ଧମକ ଦେଇ କହିଛନ୍ତି ଏହାକୁ ଯୁଦ୍ଧର ଘୋଷଣା। ଗୁରୁବାର ନସରୁଲ୍ଲା ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ”ଏହି ବିସ୍ଫୋରଣରୁ ତାଙ୍କୁ ବଡ ଝଟକା ଲାଗିଛି। ସେ ସ୍ୱୀକାର କରିଛନ୍ତି ଯେ ହେଜ୍‌ବୋଲ୍ଲା ସଦସ୍ୟଙ୍କୁ ୪,୦୦୦ ରୁ ଅଧିକ ପେଜର୍ ବଣ୍ଟନ କରାଯାଇଛି, ଯାହା ମଙ୍ଗଳବାର ରାତିରେ ଲେବାନନରେ ଏକ ସମୟରେ ବିସ୍ଫୋରଣ ହୋଇଥିଲା, ଯେଉଁଥିପାଇଁ ସଶସ୍ତ୍ର ଗୋଷ୍ଠୀ ଇସ୍ରାଏଲକୁ ଦାୟୀ କରିଛି। ନସରୁଲ୍ଲା କହିଛନ୍ତି ଯେ ହଜାର ହଜାର ପେଜର୍ ବିସ୍ଫୋରଣ କରି ଇସ୍ରାଏଲ୍ ସୀମା ଅତିକ୍ରମ କରିଛି। ନସରୁଲ୍ଲା କହିଛନ୍ତି ଯେ ଏହି ଆକ୍ରମଣ ଯୋଦ୍ଧାଙ୍କ ଉପରେ ନୁହେଁ ବରଂ ସାଧାରଣ ନାଗରିକଙ୍କ ଉପରେ ହୋଇଛି। ”

ସୂଚନାଯୋଗ୍ୟ ଉପକରଣଗୁଡ଼ିକରେ ବିସ୍ଫୋରଣ ଘଟିବା ଯୋଗୁ ହେଜ୍‌ବୋଲ୍ଲାର ଅନେକ ଆତଙ୍କବାଦୀ ମୃତାହତ ହୋଇଛନ୍ତି। ସେପ୍ଟେମ୍ବର ୧୭ରୁ ଚାଲିଥିବା ଏହି ସିରିଜ ବିସ୍ଫୋରଣକୁ ନେଇ କ୍ରୋଧିତ ହେଜ୍‌ବୋଲ୍ଲା ଇସ୍ରାଏଲ ଉପରେ ପ୍ରତିଶୋଧ ନେବା ପାଇଁ ଧମକ ଦେଇଛି। ସଙ୍ଗଠନର ମିଡିଆ ଅଲ୍‌-ମନାରରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ହେଜ୍‌ବୋଲ୍ଲା ଏଭଳି କଡ଼ା ଜବାବ ଦେବାକୁ ଯାଉଛି, ଯାହାକି ଇସ୍ରାଏଲ୍‌ କେବେ ହେଲେ କଳ୍ପନା କରି ନ ଥିବ।

ଗତବର୍ଷ ଅକ୍ଟୋବର ୮ରେ ଇସ୍ରାଏଲ୍‌ ପକ୍ଷରୁ ଗାଜାରେ ଆକ୍ରମଣ କରାଯିବା ପରଠୁ ସଶସ୍ତ୍ର ଶାସକ ହମାସ୍‌କୁ ହେଜ୍‌ବୋଲ୍ଲା ସହଯୋଗ କରିଆସୁଛି। ଏପରି କି ଉତ୍ତର ଇସ୍ରାଏଲ୍‌ରେ ହେଜ୍‌ବୋଲ୍ଲା ଏକାଧିକ ଆକ୍ରମଣ କରିଛି। ଯେତେବେବେଳ ବି ଇସ୍ରାଏଲ୍‌ ଲେବାନନ୍‌କୁ ଟାର୍ଗେଟ କରିଥିବା ହେଜ୍‌ବୋଲ୍ଲା ସନ୍ଦେହ କରିଛି, ତତ୍‌କ୍ଷଣାତ ଜବାବ ଦେବାକୁ ପଛାଇନାହିଁ।

Share